ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷ ରାଜ୍ୟରେ ବିଳମ୍ବରେ ବର୍ଷା ହୋଇଥିବା ବେଳେ ଏଇ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ପୂର୍ବରୁ ଏକ ଲଘୁଚାପ ସୃଷ୍ଟି ହୋଇ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ସେହିପରି ପୁଣି ଆଉ ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି । ଏହା ଅଗାମୀ ୨୪ ଘଣ୍ଟା ମଧ୍ୟରେ ଘନିଭୂତ ହେବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ରାଜ୍ୟରେ ଅ୍ରାସନ୍ତା ଦୁଇ ଦିନ ଯାଏଁ ବର୍ଷା ଜାରି ରହିବ । ଉପକୂଳ ଉତ୍ତର ଆଭ୍ୟନ୍ତରୀଣ ଏବଂ ପାଶ୍ୱର୍ବର୍ତ୍ତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବୁଧବାର ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଯେଉଁ ସବୁ ଜିଲ୍ଲା ଗୁଡିକରେ ବର୍ଷା ହେବ ସେଗୁଡିକ ହେଲା ଯାଜପୁର, ଭଦ୍ରକ, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗିର, ଅନୁଗୁଳ, ଦେବଗଡ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ସୋନପୁର ।
ସେହିପରି କୃଷି ପାଣିପାଗ ବିଷାରଦ ଡଃ. ସୁରେନ୍ଦ୍ରନାଥ ପଶୁପାଳକ ଭିନ୍ନ ପୂର୍ବାନୁମାନ କରି କହିଛନ୍ତି କି, ଲଘୁଚାପ ଜନିତ ବର୍ଷା ଯୋଗୁଁ ମହାନଦୀ ଫୁଲିପାରେ ।ଲଗାତର ବର୍ଷା ଫଳରେ ତଳୁଆ ଅଞ୍ଚଳରେ ପାଣି ଜମା ହୋଇ ରହିବା ସମ୍ଭାବନା ରହିଛି । ଏହାସହିତ ୧୯ ତାରିଖରେ ଉପକୂଳ ଓଡିଶା ଓ ସଂଲଗ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା,ଭଦ୍ରକ, କଟକ, କେନ୍ଦ୍ରପଡା, ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୨୦ ତାରିଖରେ ବି ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ ।