ପୁରୀ (ଏଟିଆର ବ୍ୟୁରୋ); ‘ଫୋନି’ ଓଡିଶାଠାରୁ ଆଉ ମାତ୍ର ୫୧୦ କିମି ଦୂରରେ ରହିଛି । ଏହାର ପ୍ରଭାବ ଓଡିଶାର ପୁରୀ ଏବଂ ଜଗତସିଂହପୁର ଉପରେ ପଡିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଣୁ ସମୂଦ୍ର କୂଳିଆ ଏବଂ ଯେଉଁ ସ୍ଥାନରେ ଏହାର ପ୍ରଭାବ ପଡିବ ସେଠାରୁ ଲୋକଙ୍କ ସ୍ଥାନନ୍ତର କରାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ତେବେ ପୁରୀ ସମୁଦ୍ର କୂଳକୁ ଲାଗି ରହିଥିବା ପେଣ୍ଠକଟା ଏବଂ ବଳିଆପଣ୍ଡା ବସ୍ତିରୁ ଘରଛାଡି ଯିବା ପାଇଁ ରାଜି ହେଉନାହାଁନ୍ତି ସ୍ଥାନୀୟ ବାସିନ୍ଦା ।
ପ୍ରଶାସନ ପକ୍ଷରୁ ସେମାନଙ୍କୁ ସତର୍କ ସୂଚନା ଜାରି କରାଯାଇଥିଲେ ସୁଦ୍ଧା ଘର ଛାଡିବା ପାଇଁ ଅରାଜି ହେଉଛନ୍ତି ଲୋକ । ପୁରୀ ଜିଲ୍ଲାରୁ ୧ ଲକ୍ଷ ୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଛି । ତେବେ ଘର ଛାଡିବା ପାଇଁ ଅରାଜି ହେଉଥିବା ଲୋକଙ୍କୁ ବୁଝାଉଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି । ସୁରକ୍ଷିତ ସ୍ଥାନରେ ଯାଇ ରହିବା ପାଇଁ ଉପଦେଶ ମଧ୍ୟ ଦେଉଛନ୍ତି । ସ୍ଥାନାନ୍ତରଣ ସମୟରେ ମୁଖ୍ୟତଃ ଚୋରୀ ଅଧିକ ହୋଇଥାଏ । ଯେଉଁ କାରଣରୁ ସେମାନେ ସ୍ଥାନାନ୍ତର ହେବାକୁ ଚାହୁଁନାହାଁନ୍ତିି । ତେବେ ପ୍ରଶାସନିକ କର୍ମଚାରୀ ମଧ୍ୟ ଆସି ସେମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ।
‘ଫୋନି’ କେଉଁଥି ଲ୍ୟାଣ୍ଡଫଲ କରିବ ଆଜି ସନ୍ଧ୍ୟା ସୁଦ୍ଧା ଜଣାପଡିବ । ଏହା ଗୋପାଳପୁର ଚାନ୍ଦବାଲି ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁ କାରଣରୁ ରାଜ୍ୟର ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ବାତ୍ୟା ଆଶ୍ରୟସ୍ଥଳରେ ସେମାନଙ୍କୁ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।