ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତ ଦୁଇଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏବେ ରାଜ୍ୟବାସୀଙ୍କୁ ମିଳୁଛି ବର୍ଷାରୁ ଆଶ୍ୱସ୍ତି । ଏହି ଲଘୁଚାପ ଜନିତ ବର୍ଷା ପରେ ସମସ୍ତ ରାଜ୍ୟରେ ଶୀତର ଅନୁଭବ ହେବାକୁ ଲାଗିଲାଣି । ଜଳବାୟୁର ପରିବର୍ତ୍ତନ ଅନୀୟମିତା ହେତୁ ଏ ପର୍ଯ୍ୟନ୍ତ ଶୀତର ଅନୁଭବ ହେଉ ନଥିବା ବେଳେ ଆଶା କରାଯାଉଛି ଦୁଇରୁ ତିନି ଦିନ ମଧ୍ୟରେ ଆଶିଂକ ଶୀତର ପ୍ରଭାବ ଅନୁଭୂତ ହେବ ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମନମୋହନ ଦାସ ଦେଇଥିବା ସୂଚନା ମୁତାବକ ମୌସୁମୀ ବାୟୁ ଓଡିଶାରୁ ଚାଲିଯାଇଥିବା ବେଳେ ଲୋପ୍ରେସର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିଲା । ଏବେ କିନ୍ତୁ ଲଘୁଚାପ ଚାଲିଯାଇଥିବା ବେଳେ ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ସେହିଭଳି ଏକ ଟ୍ରପ ଲାଇନ ଘୂର୍ଣ୍ଣି ବଳୟ ଆସାମ ପର୍ଯ୍ୟନ୍ତ ସୃଷ୍ଟି ହୋଇଛି । ଯାହାଫଳରେ ଦକ୍ଷିଣ ଓ ପଶ୍ଚିମ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତାକାଲି ଦୀପାବଳିରେ ପାଗ ଶୁଖିଲା ରହିବ । ଦୁଇରୁ ତିନିଦିନ ପାଗ କୋହଲା ରହିବ ପରେ ଧୀରେ ଧୀରେ ଶୀତ ଅନୁଭୁତ ହେବ ବୋଲି ଜଣାପଡିଛି ।