ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ଦେଶ ଗତ ଏକ ସପ୍ତାହ ହେଲା ଖରାର ତତଲା କଢେଇରେ ଭାଜି ହେଉଥିଲା । ଓଡିଶାରେ ବି ଗତ ସପ୍ତାହେ ହେଲା ଲୋକମାନେ ଅସହ୍ୟ ଖରାରେ ସନ୍ତୁଳି ହୋଇ ଯାଉଥିଲେ । ହେଲେ ଆଜି ଟିକେ ଗରମରୁ ନିସ୍ତାର ମିଳିଛି । ଲୋକେ ଆଶ୍ୱସ୍ତ ହୋଇଛନ୍ତି । ଗତିକାଲି ରାତିରେ ରାଜଧାନୀ ସମେତ ତେକେକ ଉପକୂଳ ଜିଲ୍ଲାରେ ବର୍ଷା ହୋଇଛି । ଯାହା ଫଳରେ ଆଜି ଭୁବନେଶ୍ୱରରେ ପାଗ ଟିକେ କୋହଲା ରହିଛି । ରଜ ପାଗ ଦେଇଥିବାରୁ ଆଜି ଦିନ ୧୦ ଟାରେ ବିଭିନ୍ନ ସପିଙ୍ଗ ମଲ ଓ ମାର୍କେଟରେ ଭିଡ ଦେଖିବାକୁ ମିଳିଛି ।
ଆସନ୍ତା କାଲି ପହିଲି ରଜ ପଡୁଥିବାରୁ ଆଜିର ପାଗ ଲୋକଙ୍କୁ କିଣାକିଣି କରିବା ପାଇଁ ଅନୁକୂଳ ରହିଛି । ତେବେ ଗତକାଲି ଦିନ ତମାମ ରାଜ୍ୟରେ ଖରାର ପ୍ରକୋପ ସର୍ବାଧିକ ରହିଥିଲା । ଗତକାଲି ଖରାଠାରୁ ଗଳୁଗୁଳି ଅଧିକ ରହିଥିବାରୁ ଦିନ ବେଳା ରଜ ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଥିଲା । ସେହିଭଳି ସାରା ଦେଶକୁ ଯଦି ନଜର ପକାଇବା ଗତ ୪୮ ଘଣ୍ଟା ତଳେ ଝାନ୍ସୀରେ କେରଲା ଏକ୍ସପ୍ରେସରେ ଅତ୍ୟଧିକ ଗରମ ହେତୁ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।
ସୋମବାର ଇତିହାସର ସବୁଠୁ ଉତପ୍ତ ଦିନ ରହିଥିଲା । ସୋମବାର ଦିନ ଦିଲ୍ଲୀରେ ତାପମାତ୍ରା ୪୮ ଡିଗ୍ରୀ ଅତିକ୍ରମ କରିଯାଇଥିଲା । ଏମିତିକି ସକାଳେ ଦିଲ୍ଲୀରେ ସ୍ୱଳ୍ପ ବର୍ଷା ହୋଇଥିଲେ ମଧ୍ୟ ଏଠାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିଲା । ଉତ୍ତରପ୍ରଦେଶର ଝାନ୍ସି, ରାଜସ୍ଥାନର ଚୁରୁ, ହରିଆଣାର ହିସାର, ପଞ୍ଜାବର ପଟିଆଲା ଏବଂ ମଧ୍ୟପ୍ରଦେଶର ଭୋପାଳରେ ଗତ ତିନି ଦଶକର ସବୁ ରେକର୍ଡକୁ ଅତିକ୍ରମ କରିଛି ଗରମ ।