ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସହ ଘଡଘଡି ନେଇ ସମ୍ଭାବନା ରହିଛି। ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଅଧିକ ପରିମାଣରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷାକୁ ଦୃଷ୍ଟିରେ ରଖି ୧୮ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, କଟକ, ନବରଙ୍ଗପୁର, ବଲାଙ୍ଗିର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଜଗତସିଂହପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।
ତେବେ ମାଲକାନଗିରି, ରାୟଗଡ଼ା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର ଆଦି ଜିଲ୍ଲାରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ରାଜ୍ୟରେ ଅନ୍ୟ କିଛି ସ୍ଥାନରେ ସାମାନ୍ୟ ବର୍ଷା ସହ ଘଡ଼ଘଡ଼ି ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ପର୍ୟ୍ୟନ୍ତ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବ ।
ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ । ସ୍ଥାନେ ସ୍ଥାନେ ପବନର ବେଗ ୬୦ କିମି ଛୁଇଁପାରେ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି । ଏହି ସମୟ ମଧ୍ୟରେ ସେମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।