ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାଘ ମାସକୁ ପବିତ୍ର ମାସ ବୋଲି କୁହାଯାଇଥାଏ । ଏହି ମାସରେ ଉପବାସର ବେଶ ମହତ୍ୱ ରହିଛି । ଏହି ମାସର ଶୁକ୍ଳ ପକ୍ଷରେ ପାଳନ କରାଯିବ ଜୟା ଏକାଦଶୀ । ଏହି ଅବସରରେ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯିବ । ମାନ୍ୟତାନୁସାରେ ଏହିଦିନ ଯେଉଁମାନେ ଶ୍ରଦ୍ଧାପୂର୍ବକ ବ୍ରତ କରନ୍ତି ସେମାନଙ୍କୁ ଭୂତ-ପ୍ରେତ, ପିଶାଚ ଭଳି ଶକ୍ତିଙ୍କୁ ଭୟ ନଥାଏ । ସେହିଅନୁଯାୟୀ ଆସନ୍ତା କାଲି ହେଉଛି ଜୟା ଏକାଦଶୀ ବ୍ରତ । ଏହି ବ୍ରତର ନିୟମ ଗୋଟେଦିନ ପୂର୍ବର ଅର୍ଥାତ ଆଜିଠୁ ଆରମ୍ଭ ହୋଇଯିବ । ତେବେ ଆସନ୍ତୁ ଜାଣିବା ଏକାଦଶୀ ବ୍ରତର ପୂଜା ମୁହୂର୍ତ୍ତ ଏବଂ ଆଜି ସନ୍ଧ୍ୟାରେ କେଉଁ ନିୟମ ପାଳନ କରିବା ଉଚିତ୍ ।
ଫେବୃଆରୀ ୧୨ ରେ ଜୟାଏକାଦଶୀ ବ୍ରତ ରଖାଯିବ । ଏହାର ଆଗାମୀ ଦିନ ବ୍ରତର ପାରଣ କରାଯିବ ।
ଜୟା ଏକାଦଶୀ ବ୍ରତ ପାଇଁ ଗୋଟେ ଦିନ ପୂର୍ବରୁ ନିୟମ ଆରମ୍ଭ ହୋଇଯାଏ । ସେହିପରି ଆଜି ସନ୍ଧ୍ୟା ରୁ ଗୋଟେ ବେଳା ସାତ୍ୱିକ ଭୋଜନ ଗ୍ରହଣ କରନ୍ତୁ । ବ୍ରତଧାରୀଙ୍କୁ ବ୍ରହ୍ମଚାର୍ଯ୍ୟ ପାଳନ କରିବା ଉଚିତ୍ । ଏହାପରେ ଆସନ୍ତାକାଲି ସକାଳୁ ସ୍ନାନ ସାରି ବ୍ରତର ସଂକଳ୍ପ ନେଇ ଧୂପ, ଦୀପ, ଫଳ, ପଞ୍ଚାମୃତ ଆଦି ଅର୍ପଣ କରି ଭଗବାନ ବିଷ୍ଣୁଙ୍କ ଶ୍ରୀକୃଷ୍ଣ ଅବତାରକୁ ପୂଜନ୍ତୁ । ରାତ୍ରିରେ ଜାଗରଣ କରି ଶ୍ରୀ ହରିଙ୍କ ନାମରେ ଭଜନ କରନ୍ତୁ । ଦ୍ୱାଦଶୀ ଦିନ କୌଣସି ଗରିବ ଲୋକ ବା ବ୍ରାହ୍ମଣଙ୍କୁ ଭୋଜନ କରାଇ ଦାନ ଦକ୍ଷିଣା ଦେଇ ପାରଣ କରନ୍ତୁ ।