ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା ସମିତି ଏବଂ ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେବାୟତଙ୍କ କଲ୍ୟାଣ ଓ ସୁରକ୍ଷା ନେଇ ଆଲୋଚନା ହୋଇଥିଲା ।
ଲକ୍ ଡାଉନ୍ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାର ସେବାୟତ ମାନେ ପ୍ରଭାବିତ ହୋଇଛନ୍ତି । ସେଥିପାଇଁ ସେବାୟତଙ୍କ ପରିବାରକୁ ଦ୍ୱିତୀୟ ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯିବାର ନିଷ୍ପତି ନିଆଯାଇଛି । ଏହାପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ୫ ହଜାର ଟଙ୍କା ଦିଆଯାଇଥିଲା । ଏହାସହିତ ସୁରକ୍ଷାକୁ ଦୃଷ୍ଟିରେ ରଖି ସେବାୟତଙ୍କ ମଧ୍ୟରେ ୫ ହଜାର ମାସ୍କ ବଣ୍ଟା ଯିବ । ମାସ୍କ ତିଆରି ନିମନ୍ତେ ବୟନିକାକୁ ନିର୍ଦ୍ଦେଶ ଦିଆଯାଇଛି । ନୀତିକାନ୍ତି ସମୟରେ ସେବାୟତ ମାନେ ମାସ୍କ ପିନ୍ଧିବେ ।