ପୁରୀ (ଏଟିଆର ବ୍ୟୁରୋ): ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ଦେବ-ଦୀପାବଳୀ । ଏହି ନୀତି ତିନି ଦିନ ଧରି ଚାଲିବ । ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ କରିଥାନ୍ତି । ପରମ୍ପରା ମୁତାବକ, ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିଥିରେ ଏହି ନୀତି ପାଳନ କରାଯିବାର ବିଧି ରହିଛି ।
ସେହିଅନୁଯାୟୀ, ଆଜି ମାର୍ଗଶୀର ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି । ଆଜି ସନ୍ଧ୍ୟା ଧୂପ ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦିଆଯିବ ।
ସେହିପରି ଅମାବାସ୍ୟା ରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଏବଂ ପ୍ରତିପଦାରେ ମହାପ୍ରଭୁ ଦେବକୀ, ବାସୁଦେବ, ଯଶୋଦା, ନନ୍ଦ, ମହାରାଜା ଇନ୍ଦ୍ରଦ୍ୟୁମ୍ନ , ରାଣୀ ଗୁଣ୍ଡିଚାଙ୍କୁ ଉଦ୍ଦେଶ୍ୟରେ ଦୀପଦାନ ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି ।