ପୁରୀ (ଏଟିଆର ବ୍ୟୁରୋ): ଆଜି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତ୍ରୟଦଶୀ ତିଥି ବା ପଞ୍ଚୁକର ତୃତୀୟ ଦିନ । ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଶ୍ରୀମନ୍ଦୀରରେ ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ସ୍ୱତନ୍ତ୍ର ବେଶ । ଏହି ତିଥିରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ଆଡକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ ।
ଏହି ବେଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଡ ଠାକୁର ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି ହୋଇଥାଏ । ଏହି ଚୂଳ ଦୁଇଟି ସୋଲ, କନା, ବେତ, ଜରି, ଜମ୍ବୁରା, କବଁଥ ଅଠା, ଆଦିରେ ନିର୍ମିତ ହୋଇଥାଏ । ଏହାସହିତ ଏଥିରେ ସୂର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ ।
ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ରଙ୍କ ମସ୍ତକର ଶୀର୍ଷ ଭାଗରେ ସୂର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଯେପରିକି ଘାଗଡାମାଳି, ବରକୋଳିମାଳି, ଗିନିମାଳି, ପଦ୍ମମାଳି,ପଦକମାଳି, ଶ୍ରୀପୟର, ଶ୍ରୀଭୂଜ, ହରିଡାମାଳି, ବାହାଡାମାଳି, ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ରରେ ଶ୍ରୀଜିଉଙ୍କୁ ସଜ୍ଜିତ କରାଯାଇଥାଏ ।
ବିଶ୍ୱାସ ରହିଛି କି, ମହାପ୍ରଭୁଙ୍କର ଏହି ବେଶକୁ ଦର୍ଶନ କରିବା ଅଶେଷ ପୂଣ୍ୟ ପ୍ରାପ୍ତି ହୋଇଥାଏ ।