ବ୍ରହ୍ମଗିରି (ଏଟିଆର ବ୍ୟୁରୋ): ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ର ଆଜି ୧୪ ଦିନ । ଅର୍ଥାତ ଆଜି ଶେଷ ଅନବସର ଦର୍ଶନ । ଅଲାରନାଥଙ୍କୁ ଶେଷ ଦର୍ଶନ କରିବା ପାଇଁ ପୀଠରେ ଭକ୍ତଙ୍କ ଭିଡ ଲାଗିଛି । ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣ । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ । ଶ୍ରୀକ୍ଷେତ୍ରରେ ଲାଗିବ ଭକ୍ତଙ୍କ ଗହଳି ।
ବିଶ୍ୱାସ ରହିଛି କି ଶ୍ରୀଜିଉଙ୍କ ଅନବସର ସମୟରେ ଖିରି ଖିଆ ଭଗବାନ ଅଲାରନାଥଙ୍କୁ ଦର୍ଶନ କରିବା ଦ୍ୱାରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ଭଳି ସମଫଳ ପ୍ରାପ୍ତି ହୋଇଥାଏ । ଅନବସରର ୧୪ ଦିନ ଯାକ ଅଲାରନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାର ବିଧି ରହିଛି ।
ଆଜି ଭୋରୁ ଅଲାରନାଥଙ୍କ ଦ୍ୱାରଫିଟା ନୀତି ହୋଇ ୩ଟା ୩୦ ରେ ମଙ୍ଗଳ ଆଳତୀ ତାପରେ ତଡପଲାଗି, ଅବକାଶ, ବେଶ , ତୁଳସୀ ଲାଗି ଏବଂ ଗୋପାଳବଲ୍ଲଭ ନୀତି ଶେଷ ହୋଇଥିଲା । ଏହାପରେ ସକାଳ ୫ ଟା ୩୦ ରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।