ସାକ୍ଷୀଗୋପାଳ (ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ଅଁଳା ନମବୀ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିର । ଏହାସହିତ ରାଧାପାଦ ଦର୍ଶନ ଏବଂ ଶ୍ରୀରାଧାଙ୍କ ଓଡିଆଣୀ ବେଶ ଦେଖିବା ଲାଗି ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଭିଡ ଜମିଛି ।
ଅଁଳା ନବମୀରେ ରାଧାପାଦ ଦର୍ଶନ କରିବା ପାଇଁ ବର୍ଷକୁ ଥରେ ସୁଯୋଗ ମିଳୁଥିବାରୁ କୋଣ ଅନୁକୋଣରୁ ଧାଇଁ ଆସିଥାନ୍ତି ଭକ୍ତ । ଚଳିତ ବର୍ଷ ପାଦ ସ୍ପର୍ଶକୁ ନେଇ କଟକଣା ଜାରି କରାଯାଇଥିଲେ ମଧ୍ୟ ଭକ୍ତଙ୍କ ଭିଡ ଲାଗି ରହିଛି । ଏହାସହିତ ମନ୍ଦିରରେ ଭକ୍ତମାନେ କିଭଳି ଶାନ୍ତିଶୃଙ୍ଖଳାର ସହିତ ଦର୍ଶନ କରିବେ ସେନେଇ ବ୍ୟାପକ ବନ୍ଦବସ୍ତ କରିବା ସହ କଡା ନଜର ରଖାଯାଇଛି ।
ଗତକାଲି ରାତି ୧୨ଟାରେ ମନ୍ଦିର ଫିଟାଯାଇ ସମସ୍ତ ନୀତି ସମ୍ପର୍ଣ୍ଣ କରାଯାଇଥିଲା । ନୀତି ଶେଷ ହେବା ପରେ ପାଦ ଦର୍ଶନ ଲାଗି ଆଜି ଭୋର ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଛି । ଲମ୍ବା ଧାଡିରେ ଶାନ୍ତି ଶୃଙ୍ଖଳାର ସହିତ ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ । ଅନ୍ୟପଟେ ଫୁଲ ଏବଂ ଆଲୋକ ମାଳରେ ଝଲସୁଛି ମନ୍ଦିର ।