ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବା-ଦେବୀଙ୍କ ପୂଜାର କିଛି ବିଶେଷ ନିୟମ ରହିଛି । ଯେଉଁଭଳି ଭଗବାନ ବିଷ୍ଣୁଙ୍କର ପ୍ରିୟ ହେଉଛି ଶଙ୍ଖ । ଶଙ୍ଖରେ ଜଳ ଅର୍ପଣ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି । ସେହିପରି ଭଗବାନ ଶିବଙ୍କ ପୂଜାରେ ଶଙ୍ଖ ପ୍ରୟୋଗ କରାଯାଏ ନାହିଁ । ଧାର୍ମିକ ଦୃଷ୍ଟି ଅନୁସାରେ ଶଙ୍ଖ ଖୁବ୍ ପବିତ୍ର । ପ୍ରତ୍ୟେକ ପୂଜାରେ ଆରତୀ ପରେ ଶଙ୍ଖ ପାଣି ଛିଞ୍ଚା ଯାଇଥାଏ । କିନ୍ତୁ ଶିବଙ୍କ ପୂଜାରେ ଏଭଳି କରାଯାଏ ନାହିଁ । ଶିବଙ୍କ ପୂଜାରେ ଶଙ୍ଖ ସମ୍ପୂର୍ଣ୍ଣ ବାର୍ଜିତ । ତେବେ ଏହା ପଛରେ କଣ ରହିଛି ପୌରାଣିକ କାରଣ ଆସନ୍ତୁ ଜାଣିବା ।
ଶିବପୁରାଣର କଥାନୁସାରେ ଦୈତ୍ୟରାଜ ଦମ୍ଭଙ୍କର କୌଣସି ସନ୍ତାନ ନଥିଲେ । ସେ ସନ୍ତାନ ପ୍ରାପ୍ତି ପାଇଁ ଭଗବାନ ବିଷ୍ଣୁଙ୍କୁ କଠୋର ତପସ୍ୟା କରିଥିଲେ । ଦୈତ୍ୟରାଜଙ୍କ କଠୋର ତପସ୍ୟାରେ ବିଷ୍ଣୁ ପ୍ରସନ୍ନ ହୋଇ ତାଙ୍କୁ ବର ମାଗିବାକୁ କହିଲେ । ସେତେବେଳେ ମହାପରାକ୍ରମୀ ପୁତ୍ରର ବର ମାଗିଲେ ଦୈତ୍ୟରାଜ ଦମ୍ଭ । ଏଥିରେ ବିଷ୍ଣୁ ତଥାସ୍ତୁ କହି ଅର୍ନ୍ତଧ୍ୟାନ ହୋଇଗଲେ । ଏହାପରେ ଦମ୍ଭଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା ଯାହାଙ୍କର ନାମ ରହିଲା ଶଙ୍ଖଚୁଡ ।
ପୁଷ୍କରରେ ବ୍ରହ୍ମାଙ୍କୁ ଖୁସୀ କରିବା ପାଇଁ ତପ କଲେ ଶଙ୍ଖଚୂଡ । ତାଙ୍କ ତପରେ ପ୍ରସନ୍ନ ହୋଇ ବର ମାଗିବାକୁ କହିଲେ ବ୍ରହ୍ମା । ଏଥିରେ ଶଙ୍ଖଚୂଡ କହିଲେ କି ସେ ଦେବତାଙ୍କ ପାଇଁ ଅଜୟ ହୋଇଯାନ୍ତୁ । ଏହା ଶୁଣି ବ୍ରହ୍ମା ତଥାସ୍ତୁ କହି ତାଙ୍କୁ ଶ୍ରୀକୃଷ୍ଣକବଚ ଦେଇଦେଲେ । ଏହାପରେ ଶଙ୍ଖଚୂଡଙ୍କ ତପସ୍ୟାରେ ବ୍ରହ୍ମା ପ୍ରସନ୍ନ ହୋଇ
ତାଙ୍କୁ ଧର୍ମଧ୍ୱଜଙ୍କ କନ୍ୟା ତୁଳସୀଙ୍କ ସହ ବିବାହ କରିବାର ଆଜ୍ଞା ଦେଇ ଅର୍ନ୍ତଧ୍ୟାନ ହୋଇଗଲେ । ବ୍ରହ୍ମାଙ୍କ ଆଜ୍ଞାରେ ତୁଳସୀ ଏବଂ ଶଙ୍ଖଚୂଡଙ୍କ ବିବାହ ସମ୍ପନ୍ନ ହେଲା ।
ଇ୍ରହ୍ମାଙ୍କ ବରଦାନ ମିଳିବା ପରେ ତିନି ଲୋକରେ ସ୍ୱାମିତ୍ୱ ସ୍ଥାପିତ କଲେ ଶଙ୍ଖଚୂଡ । ତାଙ୍କଠୁ ତ୍ରସ୍ତ ହୋଇ ଭଗବାନ ବିଷ୍ଣୁଙ୍କ ସହାୟତା ମାଗିଲେ ଦେବତାଗଣ । କିନ୍ତୁ ଭଗବାନ ଭଗବାନ ବିଷ୍ଣୁ ନିଜେ ଦମ୍ଭ ପୁତ୍ରଙ୍କୁ ବରଦାନ ଦେଇଥବାରୁ ସେ ଶଙ୍କରଙ୍କୁ ଆରାଧନା କଲେ । ଏହାପରେ ଦେବତାମାନଙ୍କୁ ରକ୍ଷା କରିବା ପାଇଁ ଆସିଲେ ଶଙ୍କର । କିନ୍ତୁ ଶ୍ରୀକୃଷ୍ଣ କବଚ ଏବଂ ତୁଳସୀଙ୍କ ପତିବ୍ରତ ଧର୍ମ ଯୋଗୁଁ ଶିବଶଙ୍କର ମଧ୍ୟ ତାଙ୍କୁ ବଧ କରିବାରେ ସଫଳ ହୋଇପାରୁନଥିଲେ ।
ଏହାପରେ ଭଗବାନ ବିଷ୍ଣୁ ବ୍ରାହ୍ମଣ ରୂପ ଧାରଣ କରି ଦୈତ୍ୟରାଜଙ୍କଠୁ ତାଙ୍କ ଶ୍ରୀକୃଷ୍ଣକବଚ ଦାନରେ ନେଇଗଲେ ଏବଂ ଶଙ୍ଖଚୂଡ ରୂପ ଧାରଣ କରି ତୁଳସୀଙ୍କ ଶୀଳ ହରଣ କରିନେଲେ । ଏହାପରେ ଭଗବାନ ଶିବ ତାଙ୍କ ତ୍ରିଶୂଳରେ ଶଙ୍ଖଚୂଡକୁ ବଧ କରିଥିଲେ ।
ମାନ୍ୟତା ରହିଛି କି ଶଙ୍ଖଚୂଡର ହାଡରୁ ଶଙ୍ଖ ଜନ୍ମ ହେଲା ଏବଂ ସେ ଭଗବାନ ବିଷ୍ଣୁଙ୍କର ଥିଲେ ପ୍ରିୟ ଭକ୍ତ । ସେଥିପାଇଁ ଭଗବାନ ବିଷ୍ଣୁଙ୍କୁ ଶଙ୍ଖରେ ଜଳ ଚଢାଇବା ଶୁଭ ହୋଇଥାଏ । କିନ୍ତୁ ଭଗବାନ ଶଙ୍କର ଶଙ୍ଖଚୂଡକୁ ବଧ କରିଥିବାରୁ ତାଙ୍କ ପୂଜାରେ ଶଙ୍ଖ ପ୍ରୟୋଗ ବାର୍ଜିତ ହୋଇଥାଏ ।