ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଆଜିର ଏହି ବୈଠକରେ ଭୂମି ପୂଜନର ତାରିଖ ଘୋଷଣା ହେବ ବୋଲି ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ ଦାବି କରିଛନ୍ତି । ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ କାର୍ଯ୍ୟର ପ୍ରସ୍ତୁତି ଶେଷ ହୋଇସାରିଛି । ଭୂମି ପୂଜା ପରେ କାର୍ଯ୍ୟ ଆରମ୍ଭ କରାଯିବ । ଯାହାକୁ ନେଇ ଆଜି ଟ୍ରଷ୍ଟ ପକ୍ଷରୁ ତାରିଖ ଘୋଷଣା କରାଯାଇପାରେ । ସେହିପରି ମନ୍ଦିର ନିର୍ମାଣ କାର୍ଯ୍ୟର ଉଦଘାଟନ ପାଇଁ ଟ୍ରଷ୍ଟର ଅଧ୍ୟକ୍ଷଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରାଯାଇ ସରିଛି ।
ଆଜିର ଏହି ବୈଠକରେ ୧୫ ଜଣ ସଦସ୍ୟ ମଧ୍ୟରୁ ୧୨ ଜଣ ସଦସ୍ୟ ସାମିଲ ହେବାର ସମ୍ଭାବନା ରହିଛି । ଅନ୍ୟ ୩ ଜଣ ସଦସ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ସାମିଲ ହେବେ । ଆଯୋଧ୍ୟାର ସର୍କିଟ ହାଉସରେ ଅପରାହ୍ନ ୩ଟାରେ ବୈଠକ ଆରମ୍ଭ ହେବ । କୁହାଯାଉଛି କି ଭୂମି ପୂଜା ସହିତ ମନ୍ଦିର ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇପାରେ । ଏହାରି ମଧ୍ୟରେ ମନ୍ଦିର ନିର୍ମାଣର ପ୍ରସ୍ତୂତି ଜୋର ସୋରେ ଚାଲିଛି । ମନ୍ଦିର ପରିସରରେ ୩ ଏକର ଜମିର ସମତଳିକରଣ କାମ ପୁରା ହୋଇ ସାରିଛି ।