ପୁରୀ (ଏଟିଆର ବ୍ୟୁରୋ): କାର୍ତ୍ତିକ ମାସରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ ଲାଗି ରହିଥାଏ । ଏହି ସମୟରେ ମହାପ୍ରଭୁଙ୍କର ବିଭିନ୍ନ ନୀତି ଓ ବେଶ ଅନୁଷ୍ଠିତ ହୋଇଥାଏ । ଆଜି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ସାମଗ୍ରୀରେ ଶ୍ରୀବିଗ୍ରହ ମାନଙ୍କର ମୁଖମଣ୍ଡଳକୁ ଶୃଙ୍ଗାର କରାଯିବ ।
ପ୍ରାକୃତିକ କଳା , କସ୍ତୁରୀ , ହିଙ୍ଗୁଳ , ହରିଗାଳ , ଶଙ୍ଖ ଆଦିରେ ଶ୍ରୀବିଗ୍ରହଙ୍କ ମୁଖକୁ ସଜାଯିବ । ଦ୍ୱିପ୍ରହରର ଧୂପ ସରିବା ପରେ ଦତ୍ତମହାପାତ୍ର ଶ୍ରୀମନ୍ଦିର ଗର୍ଭଗୃହରେ ପ୍ରବେଶ କରିବା ସହ ଶ୍ରୀଜୀଉଙ୍କୁ ଶୃଙ୍ଗାର କରିବେ । ବନକଲାଗି ନୀତି ଅବସରରେ ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କର ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।