ପୁରୀ (ଏଟିଆର ବ୍ୟୁରୋ): ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଆରମ୍ଭ ହୋଇଯାଇଥିବା ବେଳେ ଶ୍ରୀଜୀଉଙ୍କର ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବା ସହ ବିଭିନ୍ନ ବେଶରେ ଶ୍ରୀଜୀଉ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ବିଶ୍ୱାସରେ ଅଛି କାର୍ତ୍ତିକ ମାସ ସାରା ଯଦି କେହି ବ୍ରତ ନକରି ପାରୁଛନ୍ତି , ସେମାନେ ଯଦି ପଞ୍ଚୁକ ପାଳନ କରିଛନ୍ତି ତେବେ ସମାନ ପୁଣ୍ୟ ଅର୍ଜନ କରିପାରିବେ । ପଞ୍ଚୁକ ପାଞ୍ଚଦିନ ମହାବାହୁ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଗତକାଲି ଏକାଦଶୀରେ ଠିଆଠିଆ ବେଶରେ ଶ୍ରୀଜୀଉ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ, ଆଜି ଦ୍ୱାଦଶୀରେ ବାଙ୍କୁଚୁଡା ବେଶ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି, ସେହିପରି ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ, ଶେଷ ଦିନ ଅର୍ଥାତ ପୂର୍ଣ୍ଣମାରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । ସେଥିପାଇଁ ପୁରୀରେ ଭକ୍ତଙ୍କର ଗହଳି ଧୀରେ ଧୀରେ ବଢିବାରେ ଲାଗିଲାଣି ।
ପଞ୍ଚୁକ ବ୍ରତ ପାଳନ କରିବା ପାଇଁ ଏବେ ଶ୍ରୀମନ୍ଦିର ସହ ପୁରୀର ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ହବିଷ୍ୟାଳୀ ମାନେ ଧର୍ମ ଧାରଣାରେ ରହିବା ସହିତ ପଞ୍ଚୁକ ବ୍ରତକୁ ଅତି ନିଷ୍ଠାର ସହ ପାଳନ କରୁଛନ୍ତି । ସରକାରୀ ହବିଷ୍ୟାଳୀ ଶିବିରରେ ଥିବା ହବିଷ୍ୟାଳୀମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ୟୁଥ୍ ବେଟର ଅଫ୍ ପୁରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ପ୍ରାୟ ୪୦ ଜଣ ଯୁବକ ହବିଷ୍ୟାଳୀମାନଙ୍କୁ ଶ୍ରୀମନ୍ଦିର ନେବା ଆଣିବାରେ ସହଯୋଗ ମଧ୍ୟ କରୁଛନ୍ତି । ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ଣ୍ଣମାରେ ଲକ୍ଷାଧିକ ଭକ୍ତଙ୍କର ସମାଙ୍ଗମ ଥିବାରୁ ଶ୍ରୀଜୀଉଙ୍କୁ ସିଂହଦ୍ୱାର ଦେଇ ଦର୍ଶନ କରିବେ ଓ ଅନ୍ୟ ତିନି ଦ୍ୱାର ଦେଇ ବାହାରକୁ ବାହାରିବାର ବ୍ୟବସ୍ଥା କରାଯାଇଛି ।