ପୁରୀ (ଏଟିଆର ବ୍ୟୁରୋ): ଚଳିତ ବର୍ଷ ଶୈବପୀଠରେ ଦେଖିବାକୁ ମିଳିବ ନାହିଁ କାଉଡିଆଙ୍କ ଭିଡ । ଶୁଣିବାକୁ ମିଳିବ ନାହିଁ ବୋଲବମ ଗୀତ । ଦେବଦେବ ମହାଦେବଙ୍କ ଠାରେ ଜଳ ଅର୍ପଣ କରିବାରେ ବଞ୍ଚିତ ହେବେ ଭକ୍ତ । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ବଡ ନିଷ୍ପତି ନିଆଯାଇଛି । ଏଥର ପୁରୀକୁ ଶ୍ରାବଣ ସୋମବାରରେ କୌଣସି ବୋଲବମ୍ ଭକ୍ତ ଆସି ପାରିବେ ନାହିଁ । ପୁରୀ ଜିଲ୍ଲା ବା ଅନ୍ୟ ଜିଲ୍ଲାରୁ କୌଣସି ବି ଭକ୍ତ ଆସି ବାବା ଲୋକନାଥଙ୍କ ଠାରେ ପାଣି ଢାଳି ପାରିବେ ନାହିଁ । କେବଳ ଲୋକନାଥ ପୀଠ ନୁହେଁ ବରଂ ପୁରୀ ଜିଲ୍ଲାର ଅନ୍ୟ ସମସ୍ତ ଶୈବ ପୀଠରେ ଭକ୍ତଙ୍କୁ ପାଣି ଢାଳିବା ପାଇଁ ବାରଣ କରାଯାଇଛି ।
ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଏହି ବୈଠକରେ ଡିଏସପିଙ୍କ ସମେତ ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ପରିଚାଳକ, ଲୋକନାଥ ମନ୍ଦିରର ସେବାୟତ ଏବଂ ପାଳିଆ ସେବାୟତ ଆଦି ଉପସ୍ଥିତ ଥିଲେ । ଏଥିରେ କରୋନାକୁ ଦୃଷ୍ଟିରେ ରଖି ପୁରୀ ଲୋକନାଥ ମନ୍ଦିର ସମେତ ଅନ୍ୟ ଶୈବ ପୀଠମାନଙ୍କରେ ଚଳିତ ବର୍ଷ ପାଣି ଢାଳିବା ପାଇଁ ବାରଣ କରାଯାଇଛି । ସମସ୍ତ ଶ୍ରଦ୍ଧାଳୁ ଘରେ ରହି ମହାଦେବଙ୍କୁ ଆରଧନା କରନ୍ତୁ କୌଣସି ଶିବ ମନ୍ଦିରକୁ ଯାଇ ଭିଡ ଜମାନ୍ତୁ ନାହିଁ ବୋଲି ଉପଜିଲ୍ଲାପାଳ ନିବେଦନ କରିଛନ୍ତି ।