ବିହାର (ଏଟିଆର ବ୍ୟୁର):ଆଜି ସାରା ଦେଶରେ ପାଳିତ ହେଉଛି ଛଟ ପର୍ବ । ଏନେଇ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି । କେବଳ ଉତ୍ତର ଭାରତ ନୁହେଁ ବରଂ ବିହାର ଠାରୁ ଆରମ୍ଭ କରି ଦିଲ୍ଲୀ ଏବଂ ମୁମ୍ବାଇ ସହରରେ ମଧ୍ୟ ଏହି ପର୍ବ ପାଳନ କରାଯାଉଛି । ଏଥିରେ ବାଦ୍ ପଡି ନାହାନ୍ତି ଓଡିଶାରେ ଥିବା ବିହାରୀ ସଂପ୍ରଦାୟର ଲୋକେ । ଗତ ନମ୍ବେଭର ୧୧ରୁ ଏହି ପର୍ବ ଆରମ୍ଭ ହୋଇ ଆଜି ଶେଷ ହେଉଛି ।
ମହିଳା ମାନେ ଦୁଇ ଦିନ ପର୍ଯ୍ୟନ୍ତ ନିର୍ଜଳ ଉପବାସ ରଖି ତାଙ୍କ ପରିବାରର ସୁଖ ଶାନ୍ତି ପାଇଁ ସୂର୍ଯ୍ୟ ଦେବଙ୍କୁ ପାର୍ଥନା କରିଥାନ୍ତି । ସୂର୍ଯ୍ୟ ଦେବଙ୍କ ଉପାସନାରେ ଏହି ଛଟ ପର୍ବରେ ଖାସ୍ ମହତ୍ୱ ରହିଛି । ଦୁଇ ଥର ଅର୍ଘ୍ୟ ଦେବା ପରେ ହିଁ ବ୍ରତ ପୂରା ହୋଇଥାଏ ।
ଛଟ୍ ପର୍ବର ବ୍ରତ ଏବଂ ପୂଜା ଦୁଇଟି ଯାକର ମହତ୍ୱ ରହିଛି । ଏହି ପର୍ବକୁ ପାଳିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।
ଏହି ଛଟ୍୍ ପର୍ବ ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଟ୍ରାଫିକ୍ ବ୍ୟବସ୍ଥାକୁ କଡାକଡି କରାଯିବା ସହ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରଖାଯାଇଛି । ଯମୁନା ଘାଟରେ ଅର୍ଘ୍ୟ ଦେବା ଲାଗି ସମସ୍ତ ପ୍ରସ୍ତୁତି ହୋଇସାରିଛି । ଏହାସହିତ ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ବିହାର ଏବଂ ଉତ୍ତରପ୍ରଦେଶ ଯାଉଥିବା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ମୁମ୍ବାଇରେ ଜୁହୁ ବିଚ୍ ରେ ଏହି ପର୍ବ ପାଳନ କରିବା ପାଇଁ ବିଶେଷ ଆୟୋଜନ କରାଯାଇଛି । ବ୍ରତ ରଖିଥିବା ସମସ୍ତ ମହିଳା ଏହି ବିଚ୍ ରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଅର୍ପଣ କରିବେ । ସେଥିଲାଗି ଦୁଇ ଦିନ ପୂର୍ବରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।