ପୁରୀ (ଏଟିଆର ବ୍ୟୁରୋ): ରାତି ପାହିଲେ ସ୍ନାନ ବେଦିରେ ବିଜେ ହେବେ ତିନି ଠାକୁର । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ମାତ୍ର ଏଥର କୌଣସି ଭକ୍ତ ବଡ ଦାଣ୍ଡରୁ ଦେଖି ପାରିବେ ନାହିଁ ମହାପ୍ରଭୁଙ୍କ ଜଳସ୍ନାନ ନୀତି ଏବଂ ଗଜବେଶ । ଏହାସହିତ କୌଣସି ଗଣମାଧ୍ୟମ ସଂସ୍ଥା ବି ବଡଦାଣ୍ଡରୁ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣ କରି ପାରିବେ ନାହିଁ । କିନ୍ତୁ ଖୁସୀର କଥା ହେଉଛି ସ୍ନାନଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ ଦୂରଦର୍ଶନକୁ ଦିଆଯାଇଛି । ଭକ୍ତମାନେ ବଡ ଦାଣ୍ଡ ନଗଲେ ବି ଦୂରଦର୍ଶରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖି ପାରିବେ ।
ଦୂରଦର୍ଶନ ଚ୍ୟାନେଲ ସ୍ନାନଯାତ୍ରାର ସିଧାପ୍ରସାରଣ କରି ଏହାର ସିଗ୍ନାଲକୁ ଇଚ୍ଛୁକ ଗଣମାଧ୍ୟମ ସଂସ୍ଥାକୁ ଦେଇ ପାରିବେ । ସାଟେଲାଇଟ୍ ଦ୍ୱାରା ଏହି ଲିଙ୍କ ଅନ୍ୟ ଗଣମାଧ୍ୟମକୁ ପ୍ରଦାନ କରିବ ଦୂର ଦର୍ଶନ । ଯାହାର ଲିଙ୍କ ରହିଛି ଜିଏସଏଟି-୧୭ଏଚଡି୧୦୮୦ ଆଇ ଡିଭିଡି ଏସ୨ ଏମପିଇଜି୪ । ଏହାବ୍ୟତିତ ଓବି ଭ୍ୟାନ୍ କୁ ବି କୌଣସି ପରିସ୍ଥିତିରେ ଶ୍ରୀମନ୍ଦିର ନିକଟକୁ ଛଡାଯିବ ନାହିଁ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇ ସାରିଛି । ଆଜି ରାତି ଗୋଟାଏରୁ ଆରମ୍ଭ ହୋଇଯିବ ସ୍ନାନ ପହଣ୍ଡି ନୀତି । ଭୋର ୪ ଟା ୩୦ ରୁ ମଙ୍ଗଳ ଆଳତୀ , ୪ ଟା ୪୦ ରେ ମଇଲମ, ୫ଟାରେ ତଡପ ଲାଗି, ୬ଟାରେ ଅବକାଶ ନୀତି, ସାଢେ ସାତଟାରୁ ସାଢେ ନଅଟା ଯାଏଁ ଜଳ ବିଜେ ଏବଂ ସ୍ନାନ ନୀତି, ଦିନ ସାଢେ ଦଶଟାରେ ଛେରା ପହଁରା ଏବଂ ୧୧ ଟାରୁ ୧୨ ମଧ୍ୟରୁ ଗଜବେଶ । ପୁଣି ରାତି ୮ ଭିତରେ ବାହୁଡା ପହଣ୍ଡି ନୀତି ରହିଛି ।