ପୁରୀ(ଏଟିଆର ବ୍ୟୁରୋ): ରଥଯାତ୍ରା ବନ୍ଦ କରିବା ପାଇଁ ଆଜି ସୁପ୍ରିମ କୋର୍ଟରେ ରାୟ ଶୁଣାଣି ହେବା ପରେ ପ୍ରତିକ୍ରିୟା ରଖିଛନ୍ତ ପୁରୀ ଗଜପତି ମହାରାଜ । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନଷ୍ପତିର ବିକଳ୍ପ ନାହିଁ । ସମସ୍ତେ ସୁପ୍ରିମକୋର୍ଟ ନିଷ୍ପତି ମାନିବାକୁ ପଡିବ । ରଥଯାତ୍ରା ବନ୍ଦ ହେବା କାରଣରୁ ଜଗନ୍ନାଥ ପ୍ରେମୀଙ୍କ ମନରେ କଷ୍ଟ ହେବ । ଧାର୍ମିକ ଦୃଷ୍ଟିକୋଣରୁ ଯାତ୍ରା ବିଧିପାଳନ ନିଷ୍ପତି ହେବ । ଏନେଇ ମନ୍ଦିର ପ୍ରଶାସନ ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରାଯିବ ବୋଲି ଗଜପତି ମହାରାଜ କହିଛନ୍ତି ।
ସୂଚନାଯୋଗ୍ୟ ଆଜି ସୁପ୍ରିମ କୋର୍ଟର ପ୍ରଧାନ ବିଚାର ପତିଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପିଠ ଭିଡିଓ କନଫରେନ୍ସିଂ ଜରିଆରେ ରଥଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ରାୟ ଶୁଣାଣି କରିଛନ୍ତି । ଖଣ୍ଡପିଠ କହିବା ଅନୁସାରେ ଲୋକ ମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନଜରରେ ରଖି ରଥଯାତ୍ରା ପାଇଁ ଅନୁମତି ଦିଆ ଯାଇପାରିବ ନାହିଁ । ବର୍ତ୍ତମାନ କରୋନା ମହାମାରୀ ବ୍ୟାପୁଥିବାରୁ ଲୋକ ମାନେ ସମାବେଶ ହେବାର ଅନୁମତି ଦିଆଯାଇପାରିବ ନାହିଁ । ଏଥିପାଇଁ ଅନୁମତି ଦେଲେ ମହାପ୍ରଭୁ ଆମକୁ କ୍ଷମା କରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ପକ୍ଷରୁ କୁହାଯାଇଛି ।
ଜୁନ ୨୩ ରେ ହେବାକୁ ଥିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାକୁ ବନ୍ଦ କରିବା ପାଇଁ ଓଡିଶା ବିକଶ ପରିଷଦ ସମେତ ଅନ୍ୟ ସାତଟି ଆବେଦନ କରାଯାଇଥିଲା । କରୋନା ମହାମାରୀକୁ ନଜରରେ ରଖି ରଥଯାତ୍ରାକୁ ବନ୍ଦ କରାଯାଇଛି । ତେବେ ଏହା ପୂର୍ବରୁ ହାଇକୋର୍ଟରେ ମଧ୍ୟ ଆବେଦନ କରାଯାଇଥିଲା । ହେଲେ ଏହାକୁ ହାଇକୋର୍ଟ ପକ୍ଷରୁ ଖାରଜ କରାଯାଇଥିଲା । ହାଇକୋର୍ଟ ପକ୍ଷରୁ କୁହାଯାଇଥିଲା ଯେ, ରାଜ୍ୟ ସରକାର ରଥ ଯାତ୍ରା କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବେ । ତେବେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ରଥ ନିର୍ମାଣ କାର୍ଯ୍ୟକୁ ଡେରିରେ ଆରମ୍ଭ କରାଯାଇଥିବା ବେଳେ ମଧ୍ୟ ରଥ କାମ ଶେଷ ପର୍ଯ୍ୟାୟରେ ଚାଲିଥିଲା । ଏହା ସହ ମହାପ୍ରଭୁଙ୍କ ସ୍ନାନ ଯାତ୍ରାକୁ ମଧ୍ୟ ଅଳ୍ପ ସେବାୟତଙ୍କୁ ନେଇ ଓ କୋଭିଡ ଗାଇଡ ଲାଇନକୁ ପାଳନ କରାଯାଇଥିଲା ।