ପୁରୀ (ଏଟିଆର ବ୍ୟୁରୋ) ; ରତ୍ନବେଦୀ ଛାଡି ଜନ୍ମ ଦେବୀରେ ବିଜେ କରିଛନ୍ତି କାଳିଆ ସାଆନ୍ତେ । ଶ୍ରୀମନ୍ଦିରରେ ମା ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଏକା ଛାଡି ଦେଇ ଭାଇ ଭଉଣୀଙ୍କ ସାଙ୍ଗରେ ମାଉସୀ ମାଙ୍କ ମନ୍ଦିରକୁ ଆସିଛନ୍ତି ମହାପ୍ରଭୁ । ଏଣୁ ମହାଲକ୍ଷ୍ମୀ ରାଗରେ ନନ୍ଦିଘୋଷକୁ ଭାଙ୍ଗିଛନ୍ତି । ଏବଂ ଏହାପରେ ପୁଣିଥରେ ଅଭିମାନରେ ଶ୍ରୀମନ୍ଦିରକୁ ଫେରି ଯାଇଛନ୍ତି । ତେବେ ଗତକାଲି ପବିତ୍ର ହେରା ପଞ୍ଚମୀ ଅବସରରେ ଏହି ନୀତି ପାଳିତ ହୋଇଥିଲା । ଘଣ୍ଟ ଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ଶରଧା ବାଲି ।
ପରମ୍ପରା ଅନୁଯାୟୀ, ଆଜି ବିଳମ୍ବିତ ରାତିରେ ମା’ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରିଥିଲେ। ଘଣ୍ଟଘଣ୍ଟା, କାହାଳୀ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ସେଠାରେ ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହି ନୀତି ସଂପନ୍ନ ହୋଇଥିଲା। ପରେ ସିଂହଦ୍ୱାର ଦେଇ ମା’ ଲକ୍ଷ୍ମୀ ଜୟବିଜୟ ଦ୍ୱାର ନିକଟରେ ପହଞ୍ଚିଥିଲେ। ଏହି ସମୟରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଚାଲିଥିବାରୁ ଜୟବିଜୟ ଦ୍ୱାର ନିକଟରେ ମା’ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିଥିଲେ ମଧ୍ୟ ଧୂପ ଚାଲିଥିବାରୁ ଦୁଇଟି ଯାକ ଦ୍ବାର ବନ୍ଦ କରି ଦିଆଯାଇଥିଲା। ଅପମାନରେ ଜର୍ଜ୍ଜରିତ ମା’ ଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ବାହାରି ଆସିବା ବେଳେ ରାଗ ତମତମ ହୋଇ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଥିଲେ।