ପୁରୀ (ଏଟିଆର ବ୍ୟୁରୋ): କାର୍ତ୍ତିକ ମାସରେ ଜଗାକୁ ଦର୍ଶନ କରିବା ଲାଗି ଶ୍ରୀମନ୍ଦିରରେ ଠେଲାପେଲା । ଆଜି ଭୋରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଫଳରେ ମନ୍ଦିର ଭିତରେ ଥିବା ଲୁହା ବ୍ୟାରିକେଡ୍ ପଡିଯିବାରୁ ଜଣେ ହବିଷ୍ୟାଳି ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ନାଁ ବିଳାସିନୀ ବେହେରା ସେ ମାର୍କଣ୍ଡପୁର ବାଲିତୁଠ ଅଞ୍ଚଳର ବୋଲି ଜାଣିବାକୁ ମିଳିଛି ।
ଖବରମୁତାବକ, ଧାର୍ମିକ ମାସରେ ପ୍ରତ୍ୟେକ ହବିଷ୍ୟାଳି ଶ୍ରୀମନ୍ଦିରରେ ଜଗାକୁ ଦର୍ଶନ କରଥାନ୍ତି । ସେହିପରି ଆଜି ବିଳାସିନୀ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ଶ୍ରୀମନ୍ଦିରକୁ ଯାଇଥିଲେ । ମନ୍ଦିର ଭିତରେ ଅଚାନକ୍ ଗହଳି ବଢିଯିବାରୁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା । ଯାହାଫଳରେ ବିଳାସିନୀ ତଳେ ପଡିଯାଇଥିଲେ ଏବଂ ତାଙ୍କ ଉପରେ ବ୍ୟାରିକେଡ୍ ପଡିଯାଇଥିଲା । ଏହାସହିତ ଭକ୍ତମାନେ ବ୍ୟାରିକେଡ୍ ଉପରେ ଚଢି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏଥିରେ ବିଳାସିନୀଙ୍କ ଗୋଡ ଭାଙ୍ଗି ଯାଇଥିବାର ଜାଣିବାକୁ ମିଳିଛି ।
ଅନ୍ୟପଟେ ରେଡକ୍ରସ୍ ପକ୍ଷରୁ ଆହତଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ପଞ୍ଚୁକକୁ ଦୃଷ୍ଟିରେ ରଖି ଆଗକୁ ଯେପରି ଏଭଳି ପରିସ୍ଥିତି ନ ଉପୁଜେ ସେ ନେଇ ଜିଲ୍ଲାପାଳ କହିଛନ୍ତି ।