ଜୟପୁର (ଏଟିଆର ବ୍ୟୁରୋ): ଦେଶରେ ଅନେକ ଚମତ୍କାରୀ ମନ୍ଦିର ରହିଛି । ଯେଉଁଥି ପାଇଁ ଦିନକୁ ଦିନ ଅଲୌକିକ ଶକ୍ତି ଉପରେ ବିଶ୍ୱାସ ବଢିବାରେ ଲାଗିଛି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣିଲା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଏହା ସତ । ଆଜ୍ଞା ହଁ ଖରାଦିନେ ଏହି ମନ୍ଦିରର ଛାତରୁ ପାଣି ବୋହି ଥାଏ ଏବଂ ବର୍ଷା ହେବା ମାତ୍ରେ ଏହା ବନ୍ଦ ହୋଇଯାଏ ।
ଉତ୍ତରପ୍ରଦେଶର କାନପୁର ସ୍ଥିତ ବେହଟା ଗ୍ରାମରେ ଏଭଳି ଏକ ମନ୍ଦିର ରହିଛି । ଯେଉଁଠି ଉଦୁଉଦିଆ ଖରାରେ ମନ୍ଦିର ଛାତରୁ ପାଣି ଝରି ଥାଏ ଏବଂ ବର୍ଷା ହେବା ମାତ୍ରେ ଛାତରୁ ପାଣି ଝରିବା ବନ୍ଦ ହୋଇଯାଏ । ଏହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବହୁପୁରାତନ ମନ୍ଦିର ।
ଏହି ମନ୍ଦିରର ମାହାତ୍ମ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏହି ମନ୍ଦିରର ଛାତରୁ ଯେଉଁ ଆକାରର ପାଣି ବୁନ୍ଦା ପଡିଥାଏ । ଠିକ୍ ସେହି ଆଧାରରେ ବର୍ଷା ହୁଏ । ଏହି ମନ୍ଦିରର ଆଖ ପାଖରେ କୃଷକ ତାଙ୍କ କ୍ଷେତରେ ଫସଲ ବର୍ଷା ହିସାବରେ ହିଁ ବୁଣିଥାନ୍ତି । ମନ୍ଦିରର ଏହି ରହସ୍ୟ ବିଷୟରେ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ କୌଣସି ଅନୁମାନ ଲଗାଇ ପାରି ନାହାନ୍ତି ।