ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର କାର୍ତ୍ତିକ ମାସର ଶେଷ ପୂର୍ଣ୍ଣମା ଧର୍ମମାସର ଶେଷ୍ଟଦିନ । ମାସଯାକ ପୂଜାବ୍ରତ କରିବା ପରେ ଆଜି ନଦୀ ପୁଷ୍କରଣୀରେ ଡଙ୍ଗା ଭସାଇ, ବିଭିନ୍ନ ମନ୍ଦିରରେ ଦେବା ଦେବୀ ଦର୍ଶନ କରି ନିଜ ପାଇଁ ଓ ନିଜ ପରିବାର ପାଇଁ ଶୁଭ ମନାସୀ ଥାଆନ୍ତି ସମସ୍ତେ । ଗାଁ ଠାରୁ ସହର ସବୁଠି ଏକ ଆନନ୍ଦ ଓ ଉତ୍ସାହର ମାହୋଲ ଖେଳିଯାଇଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ରତ୍ନସିଂହାସନରେ ତିନି ଠାକୁର ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦେବେ ଦର୍ଶନ ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସ୍ଥିର କରାଯାଇଛି ।
ଏଥିପାଇଁ ପୁରୀରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ମହୋଦଧି ଓ ପଞ୍ଚତୀର୍ଥରେ ସ୍ନାନପୂର୍ବକ ଧର୍ମଡ଼ଙ୍ଗା ଭସାଇ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏଥିପାଇଁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସୁରକ୍ଷା ଦୃଷ୍ଟିରେ ପୁରୀରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବିଶେଷ କରି ବାହାରୁ ଆସିଥିବା କିଛି ପର୍ଯ୍ୟଟକ ଓ ଭକ୍ତ ଡଙ୍ଗା ଭସାଇବାକୁ ସମୁଦ୍ରକୁ ଯାଇଥାନ୍ତି ଓ ସେଠାରେ ଡ଼ଙ୍ଗା ଭସାଇବା ସମୟ ଯେପରି କୌଣସି ଅଘଟଣ ନହେଉ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।