ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ଗଣେଶ ଏବଂ ମାତା କରୱାଙ୍କୁ ସମର୍ପିତ କରୱା ଚୌଥ ବ୍ରତ । କରୱା ମାତାଙ୍କ ପୂଜା ଏବଂ ତାଙ୍କ କଥା ବିନା ପଢିବା ଦ୍ୱାରା ବ୍ରତ ଅଧୁରା ରହିଥାଏ । ସୁଖୀ ଦାମ୍ପତ୍ୟ ଜୀବନ ଏବଂ ପତିଙ୍କ ଦୀର୍ଘାୟୁ ପାଇଁ ସଧବା ନାରୀମାନେ କରୱାଚୌଥରେ ନିର୍ଜଳା ବ୍ରତ ରଖିଥାନ୍ତି । ଚଳିତବର୍ଷ ଅକ୍ଟୋବର ୧୩ରେ ପାଳନ କରାଯିବ କରୱାଚୌଥ ବ୍ରତ । ତେବେ ଆସନ୍ତୁ ଜାଣିବା କରୱାଚୌଥରେ କେଉଁ କଥା ପଢିବା ଜରୁରୀ ।
ପୌରାଣିକ କଥାନୁସାରେ ଗୋଟେ ଗାଁରେ କରୱା ଦେବୀ ତାଙ୍କ ପତିଙ୍କ ସହିତ ତୁଙ୍ଗଭଦ୍ରା ନଦୀ ନିକଟରେ ରହୁଥିଲେ । ଦିନେ କରୱାଙ୍କ ପତି ସ୍ନାନ ପାଇଁ ନଦୀକୁ ଯାଇଥିଲେ ସେହି ସମୟରେ ତାଙ୍କ ଗୋଡକୁ କୁମ୍ଭୀର କାମୁଡି ପାଣି ଭିତରକୁ ଟାଣିବାକୁ ଲାଗିଲା । ସେହି ସମୟରେ ରକ୍ଷା କରିବା ପାଇଁ କରୱାଙ୍କୁ ଡାକ ପକାଇଲେ ତାଙ୍କ ପତି । ମୃତ୍ୟୁ ମୁହଁକୁ ପତିଙ୍କୁ ଯାଉଥିବାର ଦେଖି କରୱା ଏକ କଞ୍ଚା ସୁତାରେ କୁମ୍ଭୀରକୁ ଗଛରେ ବାନ୍ଧିଦେଲେ ।
ସେତେବେଳେ ତାଙ୍କ ପତିଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗମ୍ଭୀର ଥିଲା । ଏହାପରେ ଯମରାଜଙ୍କୁ ଡାକି ପତିଙ୍କ ରକ୍ଷା କରି ଜୀବନଦାନ ଏବଂ କୁମ୍ଭୀରକୁ ମୃତ୍ୟୁ ଦେବା ପାଇଁ ଆଗ୍ରହ କଲେ କରୱାଦେବୀ । ସେହି ସମୟରେ ଯମରାଜ କହିଲେ କି କୁମ୍ଭୀରର ଆୟୁଷ ଅଛି କିନ୍ତୁ ତୁମ ପତିଙ୍କର ଯମଲୋକକୁ ଯିବାର ସମୟ ଆସି ଯାଇଛି । ଏହା ଶୁଣି କ୍ରୋଧିତ ହୋଇଗଲେ କରୱା ଦେବୀ ଏବଂ ଯମରାଜଙ୍କୁ ଶ୍ରାପ ଦେବାର ଚେତାବନୀ ଦେଲେ ।
କରୱା ଦେବୀଙ୍କ ସତୀତ୍ୱରେ ଯମରାଜ ପ୍ରଭାବିତ ହୋଇ ତାଙ୍କ ପତିଙ୍କ ଆୟୁ ବୃଦ୍ଧି କରି ତାଙ୍କୁ ଜୀବନଦାନ ଦେଇଦେଲେ । ସେହିପରି କୁମ୍ଭୀରକୁ ଯମଲୋକକୁ ପଠାଇଦେଲେ । ଏହିଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଥିଲା । ମାନ୍ୟତା ରହିଛି କି ଏହିଦିନ ଯେଉଁ ସଧବାନାରୀ ପତ୍ନୀ ଧର୍ମ ପାଳନ କରି ନିର୍ଜଳା ବ୍ରତ ରଖି କରୱା ମାତାଙ୍କୁ ପୂଜା କରେ ତାଙ୍କୁ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ପ୍ରାପ୍ତ ହୋଇଥାଏ । ସେବେଠୁ କରୱା ଚୌଥ ବ୍ରତ ଆରମ୍ଭ ହୋଇଛି ଏବଂ ପୂଜାରେ ଏହି କଥାକୁ ନିଶ୍ଚିତ ରୂପେ ପଢିବା କଥା ।