ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ଆଜି ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ । ଭାଦ୍ରାବ ଶୁକ୍ଳପକ୍ଷ ଦଶମୀ ତିଥି କୃଷ୍ଣଲୀଳାର ଅନ୍ତିମ ଦିବସ ଅବସରରେ କଂସ ମହାରାଜଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ । ଏହି ନୀତି ବଡଦାଣ୍ଡରେ ଅନୁଷ୍ଠିତ ହେବ । ଗତମାସ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ନୀତି ଆଜି ଦଶମୀ ତିଥିରେ ଶେଷ ହେବ ।
ଅପରାହ୍ନରେ ଆଜ୍ଞାମାଳ ପାଇ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରିବେ ଶ୍ରୀରାମକୃଷ୍ଣ । ଲବଣୀଖିଆ ମଣ୍ଡପରେ ମହାଭୋଇ ପରିବାରର ବୋହୂମାନଙ୍କ ହାତରୁ ଲବଣୀ ଖାଇ ବଡଦାଣ୍ଡରେ ପହଁଚିବା ପରେ ସେଠାରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ପର୍ବ ।
ସିଂହଦ୍ୱାର ସମ୍ମୁଖରେ ଭଗବାନ ଶ୍ରୀକୃଷ୍ଣ ଏବଂ କଂସରାଜଙ୍କ ମଧ୍ୟରେ ହେବ ଯୁଦ୍ଧ । ଶେଷରେ କଂସଙ୍କୁ ବଦ୍ଧ କରିବା ପରେ ଶ୍ରୀକୃଷ୍ଣଙ୍କ ପାଲିଙ୍କି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ ।