ପୁରୀ (ଏଟିଆର ବ୍ୟୁରୋ); ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମନ୍ୱୟର ଆଜି ଶେଷ ବୈଠକ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ । ଦିନ ପ୍ରାୟ ୧୧ଟାରେ ନୀଳାଦ୍ରୀ ଭକ୍ତ ନିବାସଠାରେ ଏହି ବୈଠକ ଅନୁଷ୍ଠିତ ହେବ । ତୃତୀୟ ସମନ୍ୱୟ ବୈଠକରେ ମନ୍ତ୍ରୀ ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଥିଲେ ।
ଏଥିସହ ଆଇନମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଯୋଗଦେବେ। ବୈଠକରେ ବରିଷ୍ଠ ପୁଲିସ ଅଧିକାରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ନିଜ ନିଜ ବିଭାଗର ଅଗ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିବେ।
ବୈଠକରେ ରଥ ନିର୍ମାଣ ଠାରୁ ଆରମ୍ଭ କରି ଘୋଷଯାତ୍ରାର ନୀତିକାନ୍ତି ଓ ପୁରୀର ସାମଗ୍ରିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ। ପୂର୍ବରୁ ତିନିଟି ସମନ୍ୱୟ ବୈଠକ ଶେଷ ହୋଇଛି। ଗତ ୧୩ ତାରିଖରେ ହୋଇଥିବା ତୃତୀୟ ସମନ୍ୱୟ ବୈଠକରେ ୨୫ତାରିଖ ସୁ୍ଦ୍ଧା ସବୁ ବିଭାଗ ପ୍ରସ୍ତୁତ ରହିବା ସହ ନିଜ ନିଜର ଦାୟିତ୍ୱ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ଶାନ୍ତିଶୃଙ୍ଖଳାର ସହ ଭକ୍ତମାନେ କିଭଳି ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ ସେ ଦିଗକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ପୁରୀ ଜିଲ୍ଲା ପ୍ରଶାସନ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନଶୃଙ୍ଖଳା, ସ୍ବାସ୍ଥ୍ୟକର ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଶୌଚ ଆଦି କାର୍ୟ୍ୟର ଦାୟିତ୍ବ ବାଣ୍ଟିଛି ପ୍ରଶାସନ।
ରଥାଯାତ୍ରା ଅବସରରେ ସହର ମଧ୍ୟରେ ୫ଶହଟି ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ପିଇବା ପାଣି ପାଇଁ ୩୨ ଟି ଟ୍ୟାଙ୍କର ରଖାଯାଇଛି । ବିଜୁଳି ଓ ଡ୍ରେନ୍ ତଥା ଅନ୍ୟାନ୍ୟ କାର୍ୟ୍ୟର ତଦାରଖ ପାଇଁ ୨ ହଜାର ସରକାରୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ଟି ସରକାରୀ ଆମ୍ବୁଲାନ୍ସ ସଜାଗ ରହିବ ।