ପୁରୀ (ଏଟିଆର ବ୍ୟୁରୋ): ଚାଲିଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ଏନେଇ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଆଜି ପଞ୍ଚୁକ ବ୍ରତର ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ଲକ୍ଷ୍ମୀନୃସିଂହ ବେଶରେ ମହାପ୍ରଭୁଙ୍କୁ ସଜ୍ଜିତ କରାଯାଇଛି ।
ସେହିପରି ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉ ୫ଦିନ ଯାକ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଥାନ୍ତି । ଆଜି ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଏହି ସ୍ୱତନ୍ତ୍ର ବେଶ ଦେଖିବା ଲାଗି ଭକ୍ତଙ୍କ ପ୍ରବଳ ଭିଡ ଜମିଛି । ବିଶ୍ୱାସ ରହିଛି କି ପଞ୍ଚୁକ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଦ୍ୱାରା ଅଶେଷ ପୂଣ୍ୟ ପ୍ରାପ୍ତି ହୋଇଥାଏ ।
ସ୍କନ୍ଦ ପୁରାଣ ଅନୁଯାୟୀ, ଇନ୍ଦ୍ରଦ୍ୟୁମ୍ନ ମହାରାଜ ଯେତେବେଳେ ରତ୍ନସିଂହାସନ ଉପରେ ପ୍ରଥମେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇଥିଲେ ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ । ସେହି ସୃତିକୁ ଉଜ୍ଜିବୀତ କରିବା ପାଇଁ କାର୍ତ୍ତିକମାସ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ କରାଯାଏ ।