ପୁରୀ (ଏଟିଆର ବ୍ୟୁରୋ); ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସୁନା କୂଅରୁ ୧୦୮ ଗରା ସୁବାସିତ ଜଳରେ ଗାଧୋଇବା ପରେ ଜ୍ୱରରେ ପଡିଥିଲେ ମହାପ୍ରଭୂ । ଅଣସର ଘରେ ଚାଲିଥିଲା ଗୋପନ ସେବା । ପଞ୍ଚମୀ ତିଥୀରେ ପୁଲୁରୀ ତେଲ ଲାଗି ହୋଇଥିଲା । ଏହାପରଠାରୁ ଧିରେ ଧିରେ ସୁସ୍ଥ ହେଉଛନ୍ତି ଶ୍ରୀଜୀୟ । ଗତକାଲି ଅର୍ଥାତ ଏକାଦଶୀରେ ବୈଦ୍ୟଙ୍କ ପରାମର୍ଶ କ୍ରମେ ଦଶମୂଳ ମହୋଷଧି ପ୍ରସ୍ତୁତ କରି ଲାଗି ହୋଇଥିଲା । ଆଜି ଅଣବସରର ଦ୍ୱାଦଶୀ ତିଥିରେ ଗଜପତି ମହାରାଜାଙ୍କୁ ଶ୍ରୀଜିଉଙ୍କ ସୁସ୍ଥ ହେବା ଖବର ଦିଆଯିବ।
ଆଜି ଖଳିଲାଗି, ରକ୍ତବସ୍ତ୍ର ଲାଗି, ସର୍ବାଙ୍ଗ ଚନ୍ଦନ ଆଦି ଗୋପନ ନୀତି ସଂପନ୍ନ ହୋଇଛି। ଗତକାଲି ଶ୍ରୀମନ୍ଦିରକୁ ବିଜେ ହୋଇଥିବା ମହୌଷଧି ଦଶମୂଳ ଆଜି ବି ମହାପ୍ରଭୁଙ୍କୁ ଲାଗି କରାଯାଇଛି। ଦୀର୍ଘଦିନ ଧରି ମହାପ୍ରଭୁଙ୍କୁ କେବଳ ଧଳାଫୁଲ ଲାଗି କରାଯାଉଥିବା ବେଳେ ଆଜିଠାରୁ ତୁଳସୀ ଲାଗି ହୋଇଛି। ବିଳମ୍ୱିତ ରାତିରେ ଏସବୁ ନୀତି ସଂପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ଗୁପ୍ତନୀତି ସରିବା ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ।
ଅପରପକ୍ଷରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୩ଦିନ ବାକି ରହିଛି । ଜ୍ୱର ଭଲ ହେବା ପରେ ମହାପ୍ରଭୁ ମାଉସୀଙ୍କ ଘରକୁ ଯିବେ । ସେଠାରେ ପୋଡପିଠା ଖାଇବେ । ସେଠାରେ ୮ଦିନ ରହିବା ପରେ ୯ଦିନରେ ବଡ ଦେଉଳକୁ ଫେରିବେ । ଏବେ ରଥଯାତ୍ରା ପାଇଁ ରଥଖଳାରେ କାରିଗରମାନେ ଦିନ ରାତି ଏକ କରି କାମରେ ଲାଗି ପଡିଛନ୍ତି । ତିନିରଥର ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ ଓ ରୂପକାର ସେବାୟତ ଜୋରସୋରରେ ଲାଗିଛନ୍ତି।