ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲିଠୁ ଅପୂଜା ରହିଛନ୍ତି ଲିଙ୍ଗରାଜ ମହାପ୍ରଭୁ । ବନ୍ଦ ରହିଛି ନୀତିକାନ୍ତି । ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଲାଗିଥିବା ଯୋଗୁଁ ସୋମବାର ସନ୍ଧ୍ୟାରୁ ଲିଙ୍ଗରାଜ ମନ୍ଦିରରେ ବାବାଙ୍କର ନୀତି ବନ୍ଦ ରହିଛି । ଯାହାଫଳରେ ଉପାସରେ ଲିଙ୍ଗରାଜ ବାବା । ସେହିପରି ମଙ୍ଗଳବାର ଦିଅଁଙ୍କ ପବିତ୍ରାରୋପଣ ପର୍ବ ଅନୁଷ୍ଠିତ ହେବନି ବୋଲି ନିଷ୍ପତି ହୋଇଛି ।
ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବା ନେଇ ପୂଜାପଣ୍ଡା ଏବଂ ବଡ଼ୁ ନିଯୋଗ ସେବାୟତଙ୍କ ଭିତରେ ଟଣାଓଟରା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି । ଏଭଳି ଜାଣିଶୁଣି ଦେବ ନୀତିକୁ ବନ୍ଦ କରାଯାଉଥିବାରୁ ସବୁ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ବାରମ୍ବାର ଲିଙ୍ଗରାଜ ମନ୍ଦିରରେ ଏଭଳି ସମସ୍ୟା ଦେଖାଦେଉଛି । କିନ୍ତୁ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରୁନାହିଁ ।