ମହାଶିବରାତ୍ରି । ଏହି ପର୍ବ ଭଗବାନ ଶଙ୍କରଙ୍କର ଏକ ବିଶେଷ ପର୍ବ । ପବିତ୍ର ମହାଶିବରାତ୍ରି ଅବସରରେ ଏଟିଆର ମିଡିଆର ସ୍ୱତନ୍ତ୍ର ଅଧ୍ୟାୟ ‘ଶିବ କଥା’ରେ ଆମେ ଆପଣଙ୍କୁ ଜଣାଇବୁ ଶିବଲିଙ୍ଗରେ କାହିଁକି ଚଢାଯାଏ ଖୀର ।
ଭଗବାନ ଶିବଙ୍କର କୃପା ପ୍ରାପ୍ତି ପାଇଁ ଶିବରାତ୍ରିର ବିଶେଷ ମହତ୍ୱ ରହିଛି । ଧର୍ମଗ୍ରନ୍ଥରେ ବର୍ଣ୍ଣିତ ପୌରାଣିକ କଥାନୁସାରେ, ଶିବରାତ୍ରି ଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ହୋଇଥିଲା । ଏହି କାରଣ ଯୋଗୁଁ ଶିବଭକ୍ତଙ୍କ ପାଇଁ ଏହିଦିନର ବିଶେଷ ମହତ୍ୱ ରହିଛି । ଶିବରାତ୍ରିରେ ଖୀରରେ ଭଗବାନ ଶିବଙ୍କ ଅଭିଶେକ କରନ୍ତି ଭକ୍ତ । କିନ୍ତୁ ଆପଣ ଜାଣିଛନ୍ତି କି, ଶିବଲିଙ୍ଗରେ କାହିଁକି ଚଢାଯାଏ ଖୀର । ତେବେ ଆସନ୍ତୁ ଜାଣିବା ଶିବଲିଙ୍ଗରେ ଖୀର ଚଢାଇବା ପଛର କଥା ବିଷୟରେ ।
ବିଷ୍ଣୁ ପୁରାଣରେ ମିଳିଥିବା କିମ୍ବଦନ୍ତୀ ଅନୁସାରେ, ଯେତେବେଳେ ଅମୃତ ପ୍ରାପ୍ତି ପାଇଁ ସମୁଦ୍ର ମନ୍ଥନ ହୋଇଥିଲା । ସେତେବେଳେ ପ୍ରଥମେ ହଳାହଳ ବିଷ ପ୍ରାପ୍ତି ହୋଇଥିଲା । ସେହି ବିଷର ଜ୍ୱାଳା ଖୁବ୍ ତୀବ୍ର ଥିଲା । ତାର ତୀବ୍ରତାର ପ୍ରଭାବରୁ ସମସ୍ତ ଦେବତା ଏବଂ ଦୈତ୍ୟ ଜଳିବାକୁ ଲାଗିଲେ । ସେହି ବିଷକୁ ସହନ କରିବାର କ୍ଷମତା କାହାରି ପାଖରେ ନଥିଲା । ଏହି ବିଷ ପାଇଁ ସାରା ଜଗତର ବିନାଶ ହୋଇପାରିଥାନ୍ତା । ସେହିସମୟରେ ସମସ୍ତେ ଭଗବାନ ଶିବଙ୍କୁ ସ୍ମରଣ କଲେ । ଏହାପରେ ଭଗବାନ ଶିବ ଏହି ସୃଷ୍ଟିକୁ ବଞ୍ଚାଇବା ପାଇଁ ସେହି ବିଷକୁ ପାନ କରିଥିଲେ । ବିଷର ପ୍ରଭାବ ଏତେ ଅଧିକ ଥିଲା ଯେ ଶିବଙ୍କର ଶରୀର ଜଳିବା ସହିତ କଣ୍ଠ ନୀଳ ପଡିଗଲା । ଏହାପରେ ସମସ୍ତ ଦେବତାମାନେ ଶିବଙ୍କ ଶରୀରକୁ ଏହି ଜଳାପୋଡାରୁ ରକ୍ଷା କରିବା ପାଇଁ ତାଙ୍କ ଉପରେ ଜଳ ଢାଳିବା ଆରମ୍ଭ କରିଦେଲେ, ଏହାଦ୍ୱାରା ଦେବୀ ଗଙ୍ଗାଙ୍କ ଉପରେ ମଧ୍ୟ ପ୍ରଭାବ ପଡିଲା କିନ୍ତୁ ଶିବଙ୍କ ଶରୀରର ଉତ୍ତାପରେ କୌଣସି ପ୍ରଭାବ ପଡିଲା ନାହିଁ ।
ସେହିସମୟରେ ଶିବଙ୍କୁ ଖୀର ଗ୍ରହଣ କରିବା ପାଇଁ ସମସ୍ତ ଦେବତା ନିବେଦନ କଲେ । ଖୀର ପାନ କରିବା ପରେ ବିଷର ପ୍ରଭାବ କମିବାକୁ ଲାଗିଲା ଏବଂ ଭଗବାନ ଶିବଙ୍କ ଶରୀରର ତାପ ଶାନ୍ତ ହେଲା । ସେବେଠୁ ଭଗବାନ ଶିବଙ୍କର ପ୍ରିୟ ହେଉଛି ଖୀର । ଏହି କାରଣ ପାଇଁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଲାଗି ଶିବଲିଙ୍ଗରେ ଖୀର ଚଢା ଯାଇଥାଏ ।