ମହାଶିବରାତ୍ରିର ଏହି ପବିତ୍ର ପର୍ବକୁ ଭଗବାନ ଶିବଙ୍କୁ ସମର୍ପିତ କରାଯାଇଥାଏ । ଏହି ଅବସରରେ ଏଟିଆର ମିଡିଆର ସ୍ୱତନ୍ତ୍ର ଅଧ୍ୟାୟ ‘ଶିବ କଥା’ରେ ଆମେ ଆପଣଙ୍କୁ ଜଣାଇବୁ ଶିବଲିଙ୍ଗ ଏବଂ ଜ୍ୟୋର୍ତିଲିଙ୍ଗ ମଧ୍ୟରେ ଥିବା ଅନ୍ତର ବିଷୟରେ ।
ହିନ୍ଦୁ ଧର୍ମର ପୌରାଣିକ ଶାସ୍ତ୍ରରେ ଭଗବାନ ଶିବଙ୍କ ସହ ଜଡିତ ୧୨ ଟି ଜ୍ୟୋର୍ତିଲିଙ୍ଗ ବିଷୟରେ କୁହାଯାଇଛି । ମହାଶିବରାତ୍ରିର ପବିତ୍ର ଅବସରରେ ଯେଉଁଭଳି ଭାବେ ଶିବଲିଙ୍ଗ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଥାଏ ଠିକ୍ ସେହିପରି ଜ୍ୟୋର୍ତିଲିଙ୍ଗ ଦର୍ଶନ ପାଇଁ ମଧ୍ୟ ଭକ୍ତଙ୍କ ଭିଡ ଜମିଥାଏ । କିନ୍ତୁ ଆପଣ ଜ୍ୟୋର୍ତିଲିଙ୍ଗ ଏବଂ ଶିବଲିଙ୍ଗ ମଧ୍ୟରେ ଥିବା ଅନ୍ତର ବିଷୟରେ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା..
ଶିବପୁରାଣରେ ବର୍ଣ୍ଣିତ କଥାନୁସାରେ, ବ୍ରହ୍ମା ଏବଂ ଭଗବାନ ବିଷ୍ଣୁଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେନେଇ ଉଭୟଙ୍କ ମଧ୍ୟରେ ଥରେ ବିବାଦ ହୋଇଗଲା । ଏହି ସ୍ଥିତିରେ ଉଭୟଙ୍କ ଭ୍ରମକୁ ଦୂର କରିବା ପାଇଁ ଭଗବାନ ଶିବ ଏକ ମହାନ ଜ୍ୟୋତି ସ୍ତମ୍ଭ ରୂପେ ପ୍ରକଟ ହୋଇଥିଲେ । ଏହାକୁ ଜ୍ୟୋର୍ତିଲିଙ୍ଗ କୁହାଯାଏ । ଜ୍ୟୋର୍ତିଲିଙ୍ଗ ସ୍ୱୟଂଭୁ ହୋଇଥିବା ବେଳେ ମାନବ ଦ୍ୱାରା ସ୍ଥାପିତ ଶିବଲିଙ୍ଗ । ସେହିପରି ଦେଶରେ ମୋଟ ୧୨ ଟି ଜ୍ୟୋର୍ତିଲିଙ୍ଗ ରହିଛି । ସେହି ୧୨ ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରେ ରହିଛି ସୋମନାଥ ଜ୍ୟୋର୍ତିଲିଙ୍ଗ, ମଲ୍ଲିକାର୍ଜୁନ ଜ୍ୟୋର୍ତିଲିଙ୍ଗ, ମହାକାଳେଶ୍ୱର ଜ୍ୟୋର୍ତିଲିଙ୍ଗ, ଓଁକାରେଶ୍ୱର ଜ୍ୟୋର୍ତିଲିଙ୍ଗ, କେଦାରନାଥ ଜ୍ୟୋର୍ତିଲିଙ୍ଗ, ଭିମଶଙ୍କର ଜ୍ୟୋର୍ତିଲିଙ୍ଗ, ବଶ୍ୱନାଥ ଜ୍ୟୋର୍ତିଲିଙ୍ଗ, ତ୍ରମ୍ବକେଶ୍ୱର ଜ୍ୟୋର୍ତିଲିଙ୍ଗ, ବୈଦନାଥ ଜ୍ୟୋର୍ତିଲିଙ୍ଗ, ନାଗେଶ୍ୱର ଜ୍ୟୋତିଲିଙ୍ଗ, ରାମେଶ୍ୱରମ ଜ୍ୟୋର୍ତିଲିଙ୍ଗ, ଏବଂ ଘୁଷ୍ମେଶ୍ୱର ଜ୍ୟୋର୍ତିଲିଙ୍ଗ ।
ମାନ୍ୟତା ରହିଛି କି ଏହି ଜ୍ୟୋର୍ତିଲିଙ୍ଗକୁ ଦର୍ଶନ କରିବା ଦ୍ୱାରା ମନୁଷ୍ୟର ସମସ୍ତ ପାପ ଧୋଇ ହୋଇଯାଏ ।