ପୁରୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଦୀର୍ଘ ୭ ମାସରୁ ଅଧିକ ସମୟ ହେବ ରାଜ୍ୟରେ ଶ୍ରୀମନ୍ଦିର ସମେତ ଅନ୍ୟ ସମସ୍ତ ମନ୍ଦିର ବନ୍ଦ ରହିଛି । ଭଗବାନଙ୍କୁ ଦର୍ଶନ କରିପାରୁ ନାହାନ୍ତି ଭକ୍ତ । କିନ୍ତୁ ଅନ୍ୟ ରାଜ୍ୟଗୁଡିକରେ କୋଭିଡ କଟକଣା ମଧ୍ୟରେ ଧୀରେ ଧୀରେ ସବୁ ମନ୍ଦିର ଖୋଲିବା ପରେ ଏବେ ଓଡିଶାରେ ମନ୍ଦିର ଖୋଲିବା ନେଇ ବିଚାରବିମର୍ଶ ଚାଲିଛି । କାରଣ ଦୀର୍ଘ ଦିନ କାଳ ଭଗବାନଙ୍କୁ ନଦେଖି ଭକ୍ତର ମନ ବ୍ୟାକୁଳ ହୋଇ ଉଠିଛି । ଏହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ କୋଭିଡ ଗାଇଡଲାଇନ ଭିତରେ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ପୁରୀ ସଦର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ।
ସେ ଲେଖିଛନ୍ତି କି, ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ଶନିବାର ଦିନ ଆପଣ ପୁରୀ ଗସ୍ତ ଓ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉନ୍ନତିକରଣ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହା ଯପରି ଶୃଙ୍ଖଳିତ ଭାବେ ଆୟୋଜିତ କରାଯାଇଥିଲା ସେହିପରି ସାଧାରଣ ଭକ୍ତଙ୍କ ପାଇଁ କରୋନା କଟକଣାକୁ ପାଳନ କରି ଆମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିର ଖୋଲିବାକୁ ମୁଁ ଆପଣଙ୍କୁ ବିନୀତ ଅନୁରୋଧ କରୁଛି । ଏହାଦ୍ୱାରା କରୋନା ଭୟରେ ଆତଙ୍କିତ ଭକ୍ତମାନେ ଆଧ୍ୟାତ୍ମିକ ଚେତନା ଲାଭ କରିବେ ଓ ଐଶ୍ୱରିକ ଆର୍ଶିବାଦ ଲାଭ କରି ପାରିବେ ।