ପୁରୀ (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହୋଇଯିବ ପବିତ୍ର କାର୍ତ୍ତିକ ମାସ । ଏହି ମାସରେ ହବିଷ ଏବଂ କାଳିଆ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂତନ ଏସଓପି ଜାରି କରାଯାଇଛି ।
ନୂତନ ଏସଓପି ଅନୁଯାୟୀ ସକାଳ ୭ ଟାରୁ ରାତି ୯ ଟା ଯାଏଁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ନିର୍ଦ୍ଦେଶ ରହିଛି । ଦଶହରା ଏବଂ ଭସାଣୀ ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । କିନ୍ତୁ ୨୦ ତାରିଖ କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଖୋଲା ରହିବ । ମାତ୍ର ଦୀପାବଳୀ, କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଡ ଏକାଦଶୀରେ ଶ୍ରୀମନ୍ଦିର ବନ୍ଦ ରହିବ । ପୂର୍ବଭଳି ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ।
ଶ୍ରୀମନ୍ଦିରକୁ ପ୍ରବେଶ ନିମନ୍ତେ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ୨ ଟି ଡୋଜ ନେଇଥିବା ଟୀକା ସାର୍ଟିଫିକେଟ ଏବଂ ଭକ୍ତଙ୍କ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି । ଏହାସହିତ ପ୍ରତ୍ୟେକ ଭକ୍ତଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ବାଧ୍ୟତାମୂଳକ କରାଯାଇଛି ।