ପୁରୀ (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆଉ ମାତ୍ର କେଇଟା ଦିନ ପରେ ବଡ ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ । ଏନେଇ ରଥନିର୍ମାଣ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଛି । କିନ୍ତୁ ମହାମାରୀ କରୋନା ପାଇଁ ବିନା ଭକ୍ତରେ ହେବ ରଥଯାତ୍ରା । ବଡଦାଣ୍ଡରେ ଜାରି ହେବ ୧୪୪ ଧାରା । ଏହାସହିତ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ଘରର ଛାତ ଉପରେ ମଧ୍ୟରେ ୧୪୪ ଧାରା ଲାଗୁ ହେବ । ଛାତ ଉପରୁ କୌଣସି ଭକ୍ତ ଶ୍ରୀଜିଉଙ୍କ ରଥଯାତ୍ରା ଦେଖିପାରିବେ ନାହିଁ । ପୂର୍ବ ନିଷ୍ପତିରେ ପରିବର୍ତ୍ତନ କରିଛି ପୁରୀ ଜିଲ୍ଲା ପ୍ରଶାସନ । ପୂର୍ବରୁ ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଥିଲା କି, ଚଳିତବର୍ଷ ବଡ ଦାଣ୍ଡରେ ଥିବା ଘର ଗୁଡିକର ଛାତ ଉପରୁ ଭକ୍ତ ରଥ ଯାତ୍ରା ଦେଖିପାରିବେ କିନ୍ତୁ ଏବେ ଏହି ନିଷ୍ପତିକୁ ବଦଳାଇଛି ଜିଲ୍ଲା ପ୍ରଶାସନ ।
ଅନ୍ୟପଟେ ରଥଯାତ୍ରାର ଦୁଇଦିନ ପୂର୍ବରୁ ପୁରୀ ବଡଦାଣ୍ଡରେ ଥିବା ସମସ୍ତ ହୋଟେଲ ଏବଂ ଲଜିଂକୁ ଖାଲି କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁରୀକୁ ୧୨ ଜୋନରେ ବିଭକ୍ତ କରାଯାଇଛି । ସିଲ ହେବ ସହରର ପ୍ରବେଶ ପଥ ।