ପୁରୀ ( ଏଟିଆର ବ୍ୟୁରୋ): ରଥଯାତ୍ରାର ସିଧାପ୍ରସାରଣ ପାଇଁ ଏଥର ସରକାର ନେଇଛନ୍ତି ଏକ ବଡନିଷ୍ପତ୍ତି । କ୍ରିକେଟ ପରି ରଥଯାତ୍ରାର ସିଧାପ୍ରସାରଣ ପାଇଁ
ଏଥର ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି । ପୂର୍ବରୁ ପୁରୀରେ ରଥଯାତ୍ରାର ସିଧାପ୍ରସାରଣ ପାଇଁ ବିଭିନ୍ନ ଚ୍ୟାନେଲ ମାନେ ସେମାନଙ୍କର ସେଟଅଫ୍ ଲଗାଇ ରଥଯାତ୍ରାର ସିଧାପ୍ରସାରଣ କରୁଥିଲେ । ମାତ୍ର ଚଳିତ ଥର ନୂଆ ନିୟମ ଅନୁସାରେ ଟିଭି ଚ୍ୟାନେଲ ମାନଙ୍କୁ ପ୍ରଥମେ ଟେଣ୍ଡର ପକାଇବାକୁ ପଡିବ । ଯେଉଁ ଚ୍ୟାନେଲ ଟେଣ୍ଡର ପାଇବ ସେ ରଥଯାତ୍ରାର ସିଧାପ୍ରସାରଣ କରିପାରିବ ।
ଏନେଇ ଜୁନ ୪ ରେ ଚିଠି ମାଧ୍ୟମରେ ବିଭିନ୍ନ ଟିଭି ଚ୍ୟାନେଲ ମାନଙ୍କୁ ଟେଣ୍ଡରରେ ଭାଗ ନେବା ପାଇଁ ଅମନ୍ତ୍ରଣ କରାଯାଇଛି । ୧୦ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ କରାଯିବା ପାଇଁ ସମୟସୀମା ରହିଛି । ସର୍ତ୍ତାବଳୀ ଅନୁସାରେ ଯେଉଁ ଚ୍ୟାନେଲ ଅଧିକ ଟଙ୍କାରେ ଟେଣ୍ଡର ପକାଇଥିବ ଉକ୍ତ ଚ୍ୟାନେଲ କେବଳ ରଥଯାତ୍ରାର ସିଧାପ୍ରସାରଣ କରିପାରିବ । ମାତ୍ର ସର୍ବାଧିକ ନିଲାମ ଡାକିଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେବାକୁ ବାଧ୍ୟ ନୁହେଁ ବୋଲି ମଧ୍ୟ ସର୍ତ୍ତ ରଖାଯାଇଛି ।
ସେହିଭଳି ଅନୁମତି ପାଇଥିବା ଚ୍ୟାନେଲ ଜାତୀୟ ଗଣମାଧ୍ୟମ ଦୂରଦର୍ଶନକୁ ମାଗଣାରେ ସିଧାପ୍ରସାରଣର ସିଗନାଲ ଦେବାକୁ ବାଧ୍ୟ । ସିଧାପ୍ରସାରଣ ପାଇଁ ଅନୁମତି ପାଇଥିବା ଚ୍ୟାନେଲ ପୁରା କାର୍ଯ୍ୟକ୍ରମର ଏକ କପି ଶ୍ରୀମନ୍ଦିର ପ୍ରଶାସନକୁୁ ଦେବ । ଅଧିକୃତ ଚ୍ୟାନେଲ ପୁରୀ ସହରରେ ସବର୍ସାଧାରଣରେ ଲାଇଭ ଭିଡିଓ ଦେଖାଇ ପାରିବେ ନାହିଁ । ପବିତ୍ର ରଥଯାତ୍ରାକୁ ଏମିତି ବ୍ୟବସାୟୀ କରଣ କରିବାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।