ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସଜବାଜ, ଆସନ୍ତାକାଲି ଓଡିଶାର ସାଂସ୍କୃତିକ ଗଣପର୍ବ ରଜ । କିନ୍ତୁ ମହାମାରୀ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଓଡିଶାରେ ନିରାଡମ୍ବରରେ ପାଳିତ ହେବ ରଜ ମହୋତ୍ସବ । ଏହି ଅବସରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଆରମ୍ଭ ହୋଇଛି ପିଠା ଅନ୍ ହ୍ୱିଲ୍ ।
ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହି ପିଠା ଅନ୍ ହ୍ୱିଲ କାର୍ଯ୍ୟକ୍ରମକୁ ଆଜି ଉଦଘଟନ କରିଛନ୍ତି । ଆସନ୍ତାକାଲିଠୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ସମ୍ବଲପୁରରେ ସୁଲଭ ଦରରେ ସୁସ୍ୱାଦୁ ଓଡିଆ ପିଠା ଯୋଗାଇ ଦେବ ପିଠା ଅନ୍ ହ୍ୱିଲ । ଏହା ଜରିଆରେ ରଜରେ ଲୋକେ ଘରେ ବସି ସୁସ୍ୱାଦୁ ପିଠାର ମଜା ଉଠାଇ ପାରିବେ ।
ଅନ୍ୟପଟେ ଓଟିଡିସିର ପାନ୍ଥନିବାସ ଏବଂ ମିଶନ ଶକ୍ତି ମା ମାନଙ୍କ ସହାୟରେ ଆୟୋଜିତ ହୋଇଥିବା ଏହି ପିଠା ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।