ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ପୌଷ ମାସ । ହିନ୍ଦୁ ପଞ୍ଚାଗ ଅନୁସାରେ ପ୍ରତ୍ୟେକ ମାସର ମହତ୍ୱ ରହିଛି । ପ୍ରତ୍ୟେକ ମାସ ଯେକୌଣସି ଦେବାଦେବୀଙ୍କୁ ସମର୍ପିତ କରାଯାଇଥାଏ ଏବଂ ସେହି ମାସରେ ସେହି ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ସେହିପରି ପୌଷମାସରେ ସୂର୍ଯ୍ୟ ଦେବଙ୍କୁ ଉପାସନା କରିବାର ବିଶେଷ ମହତ୍ୱ ରହିଛି ।
ଶାସ୍ତ୍ର ଅନୁସାରେ ରବିବାର ହେଉଛି ସୂର୍ଯ୍ୟ ଦେବଙ୍କ ବାର । ଧାର୍ମିକ ପୁରାଣରେ ସୂର୍ଯ୍ୟଙ୍କୁ ପ୍ରଧାନ ଦେବତା ବୋଲି କୁହାଯାଏ । ମନସ୍କାମନା ପୁରଣ କରିବା ପାଇଁ ପ୍ରତ୍ୟେକ ମାସରେ ସୂର୍ଯ୍ୟଦେବଙ୍କ ବିଶେଷ ରୂପକୁ ପୂଜା କରିବାର ବିଧି ରହିଛି । ଧାର୍ମିକ ଗ୍ରନ୍ଥ ଅନୁସାରେ ପୌଷ ମାସରେ ଭଗ ନାମକ ସୂର୍ଯ୍ୟଙ୍କ ଉପାସନା କରାଯାଇଥାଏ । ଅଥର୍ବବେଦ ଏବଂ ସୂର୍ଯ୍ୟପନିଷଦରେ ସୂର୍ଯ୍ୟଦେବଙ୍କୁ ପରବ୍ରହ୍ମ ବୋଲି କୁହାଯାଇଛି । ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବଙ୍କ ବର୍ଣ୍ଣ ରକ୍ତ ସମାନ ।
ଧାର୍ମିକ ମାନ୍ୟତା ଅନୁସାରେ , ପ୍ରତିଦିନ ସ୍ନାନ କରିବା ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଉଚିତ୍ । ପ୍ରତ୍ୟେକ ଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଭଗବାନ ସୂର୍ଯ୍ୟ ପ୍ରସନ୍ନ ହୋଇ ଆୟୁ, ଆରୋଗ୍ୟ, ଧନ, ଧାନ୍ୟ, ପୁତ୍ର, ମିତ୍ର, ତେଜ, ଯଶ, ବିଦ୍ୟା ବୈଭବ ଏବଂ ସୌଭାଗ୍ୟର ବରଦାନ ଦେଇଥାନ୍ତି । ସେହିପରି ସୂର୍ଯ୍ୟଦେବଙ୍କ ଓଁ ଶ୍ରୀ ସୂର୍ଯ୍ୟଦେବାୟ ନମଃ ମନ୍ତ୍ର ଜପିବା ଦ୍ୱାରା ମଧ୍ୟ ଲାଭ ହୋଇଥାଏ ।
ଯଦି ଆପଣ ପୌଷ ମାସରେ ବ୍ରତ କରିବାକୁ ଚାହୁଁଛନ୍ତି ତେବେ ରବିବାର ବ୍ରତ ରଖିବା ଉଚିତ୍ । ଏହାସହିତ ଏହିଦିନ ଖାଦ୍ୟରେ ଲୁଣ ବ୍ୟବହାର କରିବା ଉଚିତ୍ ନୁହେଁ । କେବଳ ଫଳ ଆହାର କରିବା ଉଚିତ୍ । ସେହିପରି ରବିବାର ବ୍ରତରେ ସୂର୍ଯ୍ୟଦେବଙ୍କୁ ଖିଚିଡି ଭୋଗ ଲଗାନ୍ତୁ । ଏଭଳି କରିବା ଦ୍ୱାରା ବ୍ୟକ୍ତି ତେଜସ୍ୱୀ ହୋଇଥାଏ ।