ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ଶ୍ରୀଜିଓଙ୍କ ପବିତ୍ର ସ୍ନାନ ଯାତ୍ରା । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଶ୍ରୀମନ୍ଦିରରେ ସମସ୍ତ ନୀତି କାନ୍ତି ଆରମ୍ଭ ହୋଇଗଲାଣି । ଏହି ଅବସରରେ ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ସେନାପଟା ଲାଗି ହେବା ସହ ଏହି ନୀତି ସମ୍ପନ୍ନ ହୋଇଛି ।
ଦଇତାପତି ସେବାୟତଙ୍କ ଦ୍ୱାରା ଆଜି ଶ୍ରୀଜିଉଙ୍କଠାରେ ସେନାପଟା ଲାଗି ହୋଇଛି । ଚାରି ରୁ ପାଞ୍ଚ ଘଣ୍ଟା ଯାଏଁ ଏହି ନୀତି ଗୁପ୍ତରେ ଲାଗିଥିଲେ ଦଇତାପତି ସେବାୟତ । ନୀତି ସମ୍ପନ୍ନ ହେଲା ପରେ ଯାଇ ଦିନ ୯ଟାରେ ଦ୍ୱାର ଫିଟା ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ମଙ୍ଗଳ ଆଳତୀ ଏବଂ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଛି ।
ଚଳିତ ବର୍ଷ ମହାମାରୀ କରୋନା ପାଇଁ କଟକଣା ଯୁକ୍ତ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଶ୍ରୀଜିଉ ଜଳସ୍ନାନ ଏବଂ ଗଜବେଶ ସିଧାସଳଖ ବଡ ଦାଣ୍ଡରୁ କୌଣସି ଭକ୍ତ ଦେଖି ପାରିବେ ନାହିଁ । ସେଥିପାଇଁ ଆଜି ରାତି ୧୦ ଟାରୁ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ କରାଯିବ ।