ପୁରୀ (ଏଟିଆର ବ୍ୟୁରୋ): ଆଜି ମାଘମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଏହା ଶ୍ରୀଜିଉଙ୍କର ଏକ ଗୁପ୍ତ ନୀତି । ଏନେଇ ଏହି ସମୟରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ସନ୍ଧ୍ୟା ୬ଟାରୁ ରାତି ୯ଟା ଭିତରେ ବନକଲାଗି ନୀତି ସମ୍ପାଦିତ ହେବ ।
ଦ୍ୱିତୀୟ ଭୋଗ ମଣ୍ଡପ ନୀତି ବଢିବା ପରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ ।
ଏଥିରେ ପାଳିଆ, ପୂଜାପଣ୍ଡା, ଖୁଣ୍ଟିଆ, ଗରାବଡୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡା ମେକାପ, ମୁଦୁଲି ଆଦି ସେବକଙ୍କର ମଧ୍ୟ ଭୂମିକା ରହିଛି । ଏହି ବନକଲାଗିରେ ହିଙ୍ଗୁଳ, ହରିତାଳ, କସ୍ତୁରୀ, କଳା, କେଶର, କର୍ପୂର, କଇଥ ଅଠା ଓ ଶଙ୍ଖ ଆଦି ବ୍ୟବହାର କରାଯିବ । ନୀତି ସମ୍ପାଦନ ହେବା ପରେ ଠାକୁରଙ୍କ ମହାସ୍ନାନ କରାଯାଇ ପୁର୍ନବାର ଦର୍ଶନ ଆରମ୍ଭ ହେବ ।