ପୁରୀ (ଏଟିଆର ବ୍ୟୁରୋ); ପୁଣି ତେଜିଲା ସ୍ନାନମଣ୍ଡପ ବିଶୃଙ୍ଖଳା । ଏକାଧିକ ସେବାୟତଙ୍କୁ ନୋଟିସ୍ କରିଛି ଶ୍ରୀମନ୍ଦିର ପ୍ରଶାସନ । ସିସିଟିଭି ଯାଞ୍ଚ ହେବା ପରେ ସେବାୟତଙ୍କୁ ନୋଟିସ କରାଯାଇଛି । ଏହାର ଜବାବ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରଖିବାକୁ ନୋଟିସ୍ରେ ଉଲ୍ଲେଖ ରହିଛି। ସବୁଠୁ ବଡ଼ କଥା ହେଲା, ବିଧାୟକଙ୍କୁ ସ୍ନାନମଣ୍ଡପକୁ ନେଇଥିବା ବହୁ ସେବାୟତ ଏହା ଭିତରେ ରହିଛନ୍ତି। ଏଣୁ ବିଧାୟକ ବି ଏହି ତାଲିକାରେ ଥିବା ନେଇ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ରଥଯାତ୍ରା ପ୍ରସ୍ତୁତି କମିଟିରେ ୩୫ଟି ନିୟମାବଳୀ ପ୍ରସ୍ତୁତ କରାଯାଇଥିଲା । ଏହି ସର୍ତ୍ତାବଳୀରେ ସ୍ପଷ୍ଟ ଲେଖା ହୋଇଛି କି କେବଳ ସପୃଂକ୍ତ ସେବକମାନେ ହିଁ ମଣ୍ଡପକୁ ଯାଇପାରିବେ । ଏବଂ ଠାକୁରଙ୍କୁ ସ୍ପର୍ଶ କରିପାରିବେ । କିନ୍ତୁ ଏସବୁ କଟକଣା କେବଳ ନିୟମରେ ରହି ଯାଇଥିଲା । କିନ୍ତୁ ଏହାକୁ ଉଲ୍ଲଙ୍ଘନ କରି ଅନେକ ଅଣସ୍ବୀକୃତ ସେବାୟତ ମଣ୍ଡପ ଉପରକୁ ଚଢ଼ିବା ସହ ଠାକୁରଙ୍କୁ ସ୍ପର୍ଶ କରିଥିଲେ। ଏପରିକି ନିଜେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସେବା ନଥାଇ ସ୍ନାନମଣ୍ଡପ ଉପରକୁ ଏକାଧିକ ଥର ଚଢ଼ିଥିଲେ। ତାହା ପୁଣି ପାଇଜାମା ପିନ୍ଧି। ଯାହାକୁ ନେଇ ଏବେ ବି ଚର୍ଚ୍ଚା ଥମିନି।
ଆଜି ଏହି ବିଶୃଙ୍ଖଳାକାରୀ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରି ତ୍ବରିତ୍ ଜବାବ ରଖିବାକୁ ନିର୍ଦେଶ ଦେଇଛି। ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ କାରଣ ଦର୍ଶାଅ ନୋଟିସ୍ କଥାକୁ ସ୍ବୀକାର କରିଥିଲେ ବି ନୋଟିସ୍ ହୋଇଥିବା ସେବାୟତଙ୍କ ନାମ ଗୋପନ ରଖିଛନ୍ତି।