ଆଠଗଡ (ଏଟିଆର ବ୍ୟୁରୋ): କାର୍ତ୍ତିକ ମାସର ଚତୁର୍ଦ୍ଦଶୀ ତିଥିରେ ବାବା ଧବଳେଶ୍ୱରଙ୍କୁ ସ୍ୱତନ୍ତ୍ର ବେଶ କରାଯାଇଛି । ଦୁର୍ଲଭ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଏହାସହିତ ବାବାଙ୍କ ନିକଟରେ ଲାଗି ହୋଇଛି ପ୍ରିୟ ଗଜଭୋଗ । ବର୍ଷ ତମାମ ଶ୍ରଦ୍ଧାଳୁ ମାନେ ବାବାଙ୍କ ଏହି ଭୋଗ ପାଇବା ପାଇଁ ଅପେକ୍ଷା କରି ରହିଥାନ୍ତି ।
ବିଶ୍ୱାସ ରହିଛି କି ପଞ୍ଚୁକ ଅବସରରେ ଦେବଙ୍କର ଦେବ ମହାଦେବଙ୍କୁ ଦର୍ଶନ କରିବା ଦ୍ୱାରା କୋଟି ଜନ୍ମର ପୂଣ୍ୟ ପ୍ରାପ୍ତି ହୋଇଥାଏ ।
କିନ୍ତୁ ଚଳିତ ବର୍ଷ ପଞ୍ଚୁକରେ ବାବା ଧବଳେଶ୍ୱରଙ୍କୁ ସିଧାସଳଖ ଦର୍ଶନ କରି ପାରୁ ନାହାନ୍ତି ଶ୍ରଦ୍ଧାଳୁ । ଧବଳେଶ୍ୱର ପୀଠରେ କଟକଣା ଲାଗିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧବଳେଶ୍ୱର ବାବାଙ୍କୁ ଦର୍ଶନ କରିବା ପାଇଁ ଭର୍ଚୁଆଲ ବ୍ୟବସ୍ଥା କରାଯାଇଛି । ଭର୍ଚୁଆଲ ମୋଡରେ ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।