ପୁରୀ (ଏଟିଆର ବ୍ୟୁରୋ): ଭକ୍ତ ଓ ଭଗବାନଙ୍କ ମଝିରେ ପାଚେରୀ ହୋଇ ଛିଡା ହୋଇଛି ଅଦୃଶ୍ୟ ମହାମାରୀ । ଶ୍ରୀମନ୍ଦିରକୁ ଯାଇ କାଳିଆକୁ ଦର୍ଶନ କରି ପାରୁନି ଭକ୍ତ । ଶ୍ରୀମନ୍ଦିରରେ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । ମନ୍ଦିର ଭିତରେ କେବଳ ନୀତିକାନ୍ତି ହେଉଛି । କେବେ ଖୋଲିବ କାଳିଆ ଦୁଆର ଆଉ ରତ୍ନସିଂହାସନ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏନେଇ ଅପେକ୍ଷାରତ ଭକ୍ତ । ହୁଏତ ଆଉ କାଳିଆର ଦର୍ଶନ ପାଇଁ ଭକ୍ତକୁ ବେଶୀଦିନ ଅପେକ୍ଷା କରିବାକୁ ପଡିନିପାରେ । କାରଣ ଆସନ୍ତା ୪ ତାରିଖରେ ବସିବାକୁ ଯାଉଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ନେଇ ହୋଇପାରେ ଆଲୋଚନା ।
ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରଷ୍ନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲି ବସିବ ବୈଠକ । ଏଥିରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ନେଇ କୌଣସି ନିଷ୍ପତି ନିଆଯାଇାରେ ବୋଲି କୁହାଯାଉଛି । କାରଣ ରାଜ୍ୟରେ ଧୀରେ ଧୀରେ ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଉଛି । ଏହାସହିତ ବିନା ଭକ୍ତରେ ସୁରୁଖୁରୁରେ ସମ୍ପାଦିତ ହୋଇଛି ରଥଯାତ୍ରା । ସେହିପରି ଆଗକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିପାରେ ବୋଲି ଆଶା କରାଯାଉଛି