ପୁରୀ (ଏଟିଆର ବ୍ୟୁରୋ): ପବିତ୍ର ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବିବାହ ଉତ୍ସବ ,ରୁକ୍ମିଣୀ ହରଣ । ଏହାସହିତ ଶ୍ରୀମନ୍ଦିର ଭିତରେ ଚାଲିଥିବା ୨୧ ଦିନିଆ ଭିତର ଚନ୍ଦନ ଯାତ୍ରା ଅନୁଯାୟୀ ଜଳକ୍ରୀଡା ନୀତି ମଧ୍ୟ ପାଳନ କରାଯିବ । ଏନେଇ ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିର ସିଂହଦ୍ୱାର ।
ପରମ୍ପରା ମୁତାବକ, ଏହିଦିନ ସକାଳ ଧୂପ ପୂଜା ବଢିବା ପରେ ଦକ୍ଷୀଣ ଘରେ ଶ୍ରୀମଦନମୋହନ ବେଶ ହୋଇଥାନ୍ତି । ଭୋଗ ବଢିବା ପରେ ମହାଲକ୍ଷ୍ମୀ ଆଜ୍ଞାମାଳ ପାଇ ଲକ୍ଷ୍ମୀ ମନ୍ଦିର ଜଗମୋହନକୁ ବିଜେ କରିଥାନ୍ତି । ସେଠାରେ ଦେବୀଙ୍କ ସମସ୍ତ ନୀତି ସରି ବେଶ ବଢିଥାଏ । ଏହାପରେ ଜଣେ ସେବକ ତାଳପତ୍ର ଲେଖନୀ ଧରି ଉପସ୍ଥିତ ହୋଇ ମାଙ୍କ ହାତ ଛୁଆଁ କରି ଲକ୍ଷ୍ମୀଙ୍କ ମନୋଭାବକୁ ଲେଖନ କରି ଜୟବିଜୟ ଦ୍ୱାର ନିକଟରେ ବିଜେ ହୋଇଥିବା ମଦନମୋହନଙ୍କ ନିକଟକୁ ଚିଟାଉ ପ୍ରେରଣ କରିଥାନ୍ତି । ସେଠାରେ ସେବକମାନେ ବଚନିକା ପାଠ କରିଥାନ୍ତି ଓ ମଦନମୋହନ ରଥରେ ବିଜେ ହୋଇ ବିମଳା ମନ୍ଦିର ନିକଟରେ ଅପେକ୍ଷା କରିଥାନ୍ତି ।
ଏହାପରେ ମହାଲକ୍ଷ୍ମୀ ଦାସୀମାନଙ୍କ ସହ ବିମଳାମନ୍ଦିରରୁ ପୂଜା କରି ସାରି ଫେରିବା ବାଟରେ ତାଙ୍କୁ ମଦନମୋହନ ହରଣ କରିଥାନ୍ତି । ବାଟରେ ଶିଶୁପାଳ ରାସ୍ତା ଅବରୋଧ କରୁଥିବାରୁ ତାଙ୍କୁ ଯୁଦ୍ଧରେ ପରାସ୍ତ କରି ବାନ୍ଧି ଦେଇଥାନ୍ତି ଏବଂ ପରେ ବଡ ଭାଇ ବଳରାମ ଆସି ତାଙ୍କୁ ବନ୍ଧନମୁକ୍ତ କରିଥାନ୍ତି । ଏହାପରେ ମଦନମୋହନ ଏବଂ ମହାଲକ୍ଷ୍ମୀ ବିବାହ ମଣ୍ଡପକୁ ବିଜେ କରିଥାନ୍ତି । ସନ୍ଧ୍ୟାରେ ପୂଜା ଧୂପ ବଢିବା ପରେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି ।