ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ରୁକ୍ମଣୀ ଏକାଦଶୀ ଓ କାଳିଆ ସାଆନ୍ତଙ୍କ ବିବାହ ଉତ୍ସବ । ଏହି ଅବସରରେ ମା ରୁକ୍ମଣୀଙ୍କୁ ବିବାହ କରିବେ ହଟିଆ ଠାକୁର ଶ୍ରୀଜଗନ୍ନାଥ । ଏନେଇ ଶ୍ରୀମନ୍ଦିର ଶ୍ରୀମନ୍ଦିର ଚଳଚଞ୍ଚଳ । ବିବାହ ଉତ୍ସବର ପ୍ରସ୍ତୁତିରେ ଲାଗି ପଡିଛନ୍ତି ସେବାୟତ । ଆଜି ରାତି ୨ ଟା ୩୭ ମିନିଟ୍ ରେ ଶ୍ରୀମନ୍ଦିର ଦ୍ୱାର ଫିଟା ପରେ ନୀତିକାନ୍ତି ଆଗେଇ ଚାଲିଛି ।
ପରମ୍ପରା ଅନୁଯାୟୀ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ରୁକ୍ମଣୀ ହରଣ ଏବଂ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଦିନ ସକାଳ ଧୂପ ସମୟରେ ଶ୍ରୀ ମଦନମୋହନଙ୍କୁ ଦକ୍ଷୀଣ ଘର ଭିତରେ ଯୋଦ୍ଧା ରାଜାଙ୍କ ଭଳି ବସ୍ତ୍ର ପିନ୍ଧାଯାଇଥାଏ । ସକାଳ ଧୂପ ଶେଷ ହେବା ପରେ ପୂଜାପଣ୍ଡା ସେବକମାନେ ମହାପ୍ରଭୁଙ୍କ ଠାରୁ ଶ୍ରୀଦେବୀଙ୍କୁ ଆଜ୍ଞାମାଳ ପ୍ରଦାନ କରିବେ । ଏହାପରେ ମହାଜନ ସେବକମାନେ ଶ୍ରୀଦେବୀଙ୍କୁ ନେଇ ପାଲିଙ୍କିରେ ସାତପାହାଚରେ ରଖିବେ । ପୁଣି ସେହି ପାଲିଙ୍କିକୁ ବିମାନ ବଡୁ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ଭିତରେ ଥିବା ମା ଲକ୍ଷ୍ମୀଙ୍କ ମନ୍ଦିରକୁ ନିଆଯିବାର ବିଧି ରହିଛି । ସେଠାରେ ଶ୍ରୀଦେବୀଙ୍କୁ ଖଟୂଲିରେ ରଖା ଯାଇ ପଞ୍ଚାମୃତ ସ୍ନାନ, ମାଜଣା ଏବଂ ବନକ ଲାଗି ଅର୍ପଣ କରାଯିବା ପରେ ଆଭୁଷଣରେ ସୁସଜ୍ଜିତ କରାଯାଇଥାଏ ।
ଏହାପରେ ସେଠାରେ ତଢାଉ କରଣ ତାଳପତ୍ର ଏବଂ ପାରମ୍ପରିକ କଲମ ଧରି ପହଁଚିବେ । ସେହି ଦୁଇଟି ଜିନିଷକୁ ଭିତରଚ୍ଛା ମହାପାତ୍ର ଶ୍ରୀଦେବୀଙ୍କୁ ଛୁଆଁଇ ଦେଇଦେବା ପରେ ସେଥିରେ ସେ ପାଣ୍ଡୁଲିପି ଲେଖିବେ । ଏହାପରେ ଚନ୍ଦନ ଦ୍ୱାରା ସେହି ପତ୍ରକୁ ଶ୍ରୀଦେବୀଙ୍କ ହାତରେ ଲଗାଇଦେବେ । ଜଣେ ସେବକ ବିପ୍ର ବ୍ରାହ୍ମଣ ରୂପେ କାର୍ଯ୍ୟ କରିବା ସହ ଜୟ ବିଜୟା ଦ୍ୱାର ନିକଟକୁ ଯିବେ । ଭୋଗ ମଣ୍ଡପ ପୁରା ହେବା ପରେ ମହାପ୍ରଭୁଙ୍କଠାରୁ ମଦନମୋହନ ଆଜ୍ଞାମାଳ ପୁନଃ ପ୍ରାପ୍ତ କରିବେ ଏବଂ ତାକୁ ଜୟ ବିଜୟା ଦ୍ୱାରକୁ ନେଇଯିବେ । ଏହାପରେ ମଦନମୋହନକୁ ସାତପାହଚ ପାଖରେ ରଖି ରଥରେ ବିମଳା ମନ୍ଦିର ନିଆଯିବ । ପୁଣି ଶ୍ରୀଦେବୀଙ୍କୁ କୁଳଦେବୀଙ୍କ ପୂଜା ପାଇଁ ବିମଳା ମନ୍ଦିର ନିଆଯିବ । ସେଠାରେ ବିମଳାମନ୍ଦିର ବାହାରେ ଶ୍ରିଦେବୀଙ୍କୁ ଅପହରଣ କରିବେ ମଦନମୋହନ । ଏହି ନୀତି ଭିତରଚ୍ଛା ମହାମାତ୍ରଙ୍କ ଦ୍ୱାରା କରାଯିବ । ଶିଶୁପାଳଙ୍କୁ ହରାଇଦେବେ ମଦନମୋହନ ଏବଂ ତାଙ୍କୁ ସରସ୍ୱତୀୁ ମନ୍ଦିର ନିକଟରେ ଥିବା ରଥରେ ବାନ୍ଧିଦେବେ । ଏହାପରେ ପ୍ରଭୁ ବଳଭଦ୍ରଙ୍କ ଠାରୁ ରାମକୃଷ୍ଣ ଆଜ୍ଞାମାଳ ଆଣି ଶିଶୁପାଳଙ୍କୁ ଛାଡିଦେବା ପରେ ଦକ୍ଷୀଣ ଘରକୁ ଫେରିଯିବେ । ସେଠାରେ ମଦମୋହନ ଏବଂ ଶ୍ରିଦେବୀଙ୍କୁ ପନ୍ତି ଭୋଗ ଲାଗି କରାଯିବ । ଏହାପରେ ଉଭୟଙ୍କୁ ବିବାହ ମଣ୍ଡପକୁ ନେଇ ଚନ୍ଦନ ଲାଗି କରାଯିବ । ଅନ୍ୟାନ୍ୟ ନୀତି କାନ୍ତି ସରିବା ପରେ ସନ୍ଧ୍ୟାରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ବିବାହ ନିତି ଆରମ୍ଭ ହୋଇଥାଏ ।