(ଏଟିଆର ବ୍ୟୁରୋ): ଓଡିଆ ସଧବା ନାରୀମାନଙ୍କର ଏକ ମୁଖ୍ୟ ବ୍ରତ ହେଉଛି ସାବିତ୍ରୀ ବ୍ରତ । ପ୍ରତେକ ବର୍ଷ ଜ୍ୟେଷ୍ଠମାସ ଅମାବାସ୍ୟା ଦିନ ଏହି ବ୍ରତ ବା ଓଷା ପାଳନ କରାଯାଇଥାଏ । ଏହି ଦିନ ସଧବା ନାରୀମାନେ ନିଜ ପତୀଙ୍କ ଦୀର୍ଘ ଆୟୁଷ ତଥା ଶୁଭ ମନାସୀ ବ୍ରତ ପାଳନ କରିଥାନ୍ତି ।
ଏହି ଅବସରରେ ସ୍ତ୍ରୀଲୋକମାନେ ସକାଳୁ ନିତ୍ୟକ୍ରମ ସାରି ନୂଆ ବସ୍ତ୍ର ପରିଧାନ କରି ପୁଜାର୍ଚ୍ଚନା ନିମନ୍ତେ ସାବିତ୍ରୀ ମା’ଙ୍କ ମନ୍ଦିରକୁ ଯାଇଥାନ୍ତି । ଏବଂ ମା’ଙ୍କଠାରେ ଶାଢୀ, ଶଙ୍ଖା,ଅଳତା,ସିନ୍ଦୁର ଏବଂ ଭୋଗ ଲଗାଇ ପତୀଙ୍କର ମଙ୍ଗଳ କାମନା ନିମନ୍ତେ ପ୍ରାର୍ଥନା କରିଥାନ୍ତି ଏବଂ ସାବିତ୍ରୀ ଉପାଖ୍ୟାନ ପାଠ କରିଥାନ୍ତି । ଏହି ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତୀ ଆର୍ଶିବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ସେହି ସବୁକୁ ଆଧାର କରି ମା’ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ ।
କିମ୍ବଦନ୍ତୀ ଅନୁଯାୟୀ,ସାବିତ୍ରୀ ଦେବୀଙ୍କୁ କନ୍ୟା ରୂପରେ ପାଇବା ପାଇଁ ଅଶ୍ୱପତି ନାମରେ ଜଣେ ରାଜା ଏକ ଯଜ୍ଞର ଆୟୋଜନ କରିଥିଲେ । ନିର୍ଦ୍ଦିଷ୍ଟ ସମୟରେ ଉପନୀତ ଉତ୍ତାରୁ ଦେବୀ ଅଶ୍ୱପତୀଙ୍କୁ ଦର୍ଶନ ଦେଇ ଇପସିତ ବର ମାଗିବାକୁ କହିଲେ । ରାଜା ନିଃସନ୍ତା ଥିବାରୁ ଏକ ପୁତ୍ର ସନ୍ତାନ ପାଇଁ ମିନତୀ କଲେ । ଦେବୀ ରାଜାଙ୍କୁ ପୁତ୍ର ସନ୍ତାନ ଲାଭ କରିବା ଯୋଗ ନଥିବା ସୁଚାଇ ଏକ ଉତ୍ତମ କନ୍ୟା ହେବାର ଆର୍ଶିବାଦ ଦେଇ ସେଠାରୁ ଉଭାନ ହୋଇଯାଇଥିଲେ ।
ତାପରେ ରାଜା ଅଶ୍ୱପତୀଙ୍କ ପତ୍ନୀଙ୍କ କୋଳରେ ଜନ୍ମ ନେଲା ଏକ ସୁନ୍ଦର କନ୍ୟା । ଦେବୀ ଗାୟତ୍ରୀଙ୍କୁ ଉପାସନା କରି କନ୍ୟା ସନ୍ତାନ ଲାଭ କରି ତାହାର ନାମ ରାଜା ସାବିତ୍ରୀ ରଖିଥିଲେ । ଯେତେବେଳେ ସାବିତ୍ରୀ ଯୌବନରେ ପାଦଦେଲେ ସେବେ ପିତାଙ୍କ ଅନୁମତି କ୍ରମେ ନିଜ ଇଚ୍ଛାରେ ବର ଖୋଜିବାକୁ ସହଚାରୀମାନଙ୍କ ସହ ଅନ୍ୱେଷଣାର୍ଥେ ଭ୍ରମଣ କରିବାକୁ ବାହାରିଲେ ।
ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ଔରସରେ ଶୈବାଙ୍କ ଗର୍ଭରୁ ଜନ୍ମ ଗ୍ରହଣ କଲେ ସତ୍ୟବାନ । ଦୈବୀ ଦୁର୍ବିପାକରୁ ସତ୍ରବାନଙ୍କ ଶୈଶବାସ୍ଥାରେ ରାଜା ଅନ୍ଧ ଓ ଭ୍ରଷ୍ଟାରାଜ୍ୟ ହୋଇ ବନବାସୀ ହୋଇଥିଲେ । ସତ୍ୟବାନ ବଣରେ ଫଳଫୁଲ ଖାଇ ଭକ୍ତି ସହକାରେ ପିତାମାତାଙ୍କର ସେବା କରୁଥିଲେ ।
ସାବିତ୍ରୀ ଭ୍ରମଣ କରିବା ସମୟରେ ସତ୍ୟବାନଙ୍କ ପିତୃଭକ୍ତି,ଧର୍ମପରାୟଣତାରେ ମୁଗ୍ଧ ହୋଇ ସତ୍ୟବାନଙ୍କୁ ନିଜର ଜୀବନସାଥୀ କରିବେ ବୋଲି ମନସ୍ତ କରିଥିଲେ । ଏବଂ ଗୃହକୁ ଫେରି ସମସ୍ତ କଥା ପିତାଙ୍କୁ ଜଣାଇ ଥିଲେ । ସେହି ସମୟରେ ନାରଦ ଉପସ୍ଥିତ ରହି ସତ୍ୟବାନଙ୍କ ଆୟୁଷ ମାତ୍ର ଏକ ବର୍ଷ ଅଛି କହି ସାବିତ୍ରୀଙ୍କୁ ନିଜ ମତ ବଦଳାଇବା ପାଇଁ ଅନୁରୋଧ କରିଥିଲେ । ମାତ୍ର ସାବିତ୍ରୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖନ କରି ତାଙ୍କ ନିଷ୍ପତିରେ ଅଟ୍ଟଳ ରହିଥିଲେ । ଏବଂ ସତ୍ୟବାନଙ୍କୁ ବିବାହ କରିଥିଲେ । ବିବାହ ପରେ ସାବିତ୍ରୀ ବିଳାସ ଜୀବନ ଯାପନକୁ ତ୍ୟାଗ କରି ସ୍ୱାମୀଙ୍କ ସହିତ ତପୋବନରେ ରହି ଶାଶୁ ଶ୍ୱଶୁରଙ୍କ ସେବା କରିଥିଲେ ।
ବିବାହର ଏକ ବର୍ଷ ପୂରିବାକୁ ୩ଦିନ ପୂର୍ବରୁ ସାବିତ୍ରୀ ତ୍ରିରାତ୍ର ବ୍ରତ ଅବଲମ୍ବନ କରିଥିଲେ । ଯେଉଁଦିନ ଏକ ବର୍ଷ ପୂରିବ ସେହିଦିନ ସତ୍ୟବାନଙ୍କ ସହ ସାବିତ୍ରୀ ବଣକୁ ଫଳଫୁଲ ସଂଗ୍ରହ କରିବାକୁ ଗଲେ । ସେଠାରେ ସତ୍ୟବାନ ନିଜକୁ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ଦେଇ ଶୋଇ ପଡିଲେ ଏବଂ ସେହି ନିଦ୍ରା ସତ୍ୟବାନଙ୍କର ଶେଷ ଓ ମୃତ୍ୟୁର ନିଦ୍ରା ଥିଲା ।
ମାତ୍ର ସାବିତ୍ରୀ ମୃତ୍ୟୁ ପତୀଙ୍କୁ କୋଳରେ ଧରି ସେମିତି ବଣରେ ବସି ରହିଥିଲେ । ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସି ସାବିତ୍ରୀଙ୍କ ନିକଟରୁ ନିରାଶ ହୋଇ ଯାଇଥିଲେ । ଶେଷରେ ନିଜେ ଯମ ଆସି ସେଠାରୁ ସତ୍ୟବାନଙ୍କ ଜୀବ ଧରି ବାହାରିଲେ । ସାବିତ୍ରୀ ମଧ୍ୟ ଯମକୁ ଅନୁଗମ କଲେ । ଯମରାଜ ସାବିତ୍ରୀଙ୍କ ପତିଭକ୍ତି ଏବଂ ସ୍ତୁତିପାଠରୁ ତଜଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ୩ଟି ବର ଦେବାକୁ ସର୍ତ୍ତ ରଖିଲେ ।
ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ୟ ପୁନଃ ପ୍ରାପ୍ତ । ଦ୍ୱିତୀୟରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଏବଂ ତୃତୀୟରେ ନିଜ ଗର୍ଭରୁ ସତପୁତ୍ର କାମନା କଲେ । ସେହି ସମୟରେ ଯମ ତଥାସ୍ତୁ କହି ଫେରି ଯିବା ବେଳେ , ସାବିତ୍ରୀ ସ୍ୱାମୀଙ୍କ ବିନା କିଭଳି ସତପୁତ୍ର ପାଇବେ ବୋଲି ପଚାରିଥିଲେ । ତା’ପରେ ଯମ ଉପାୟ ଶୂନ୍ୟ ହୋଇ ପୁର୍ନବାର ସତ୍ୟବାନଙ୍କୁ ଜୀବିତ କରାଇ ଆୟୁଦାନ କରାଇଥିଲେ ।