ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ବ୍ୟକ୍ତିଙ୍କ କର୍ମ ଅନୁସାରେ ଶନିଦେବ ତାଙ୍କୁ ନ୍ୟାୟ ପ୍ରଦାନ କରିଥାନ୍ତି । ପୁରାଣ ଅନୁସାରେ ଭଗବାନ ଶିବଙ୍କୁ ଶନିଦେବଙ୍କ ଗୁରୁ ବୋଲି କୁହାଯାଏ । ଧାର୍ମିକ କଥାନୁସାରେ ଭଗବାନ ଶିବଙ୍କ ଦ୍ୱାରା ଶନିଦେବଙ୍କୁ ନ୍ୟାୟଧିଶର ଉପାଧୀ ପ୍ରଦାନ କରାଯାଇଛି । ଧୀର ଚାଲି ଯୋଗୁଁ ଶନି ଦେବଙ୍କ ଦୃଷ୍ଟିରୁ ମାନବ, ଦାନବ, ପଶୁ, ଦେବା-ଦେବୀ ମଧ୍ୟ ବଞ୍ଚିତ ହୁଅନ୍ତି ନାହିଁ । ମହାଦେବଙ୍କୁ ମଧ୍ୟ ଥରେ ଶନିଙ୍କ ପ୍ରକୋପର ସମ୍ମୁଖୀନ ହେବାକୁ ପଡିଥିଲା । କଣ ଥିଲା ଏହା ପଛର କାରଣ ଆସନ୍ତୁ ଜାଣିବା ।
ପୌରାଣିକ କଥାନୁସାରେ ଥରେ କୈଳାଶ ପର୍ବତକୁ ଶିବଙ୍କୁ ଭେଟିବାକୁ ଆସିଥିଲେ ଶନିଦେବ । ମହାଦେବଙ୍କୁ ପ୍ରଣାମ କରି ଶନିଦେବ କହିଲେ କି, ପ୍ରଭୁ କାଲି ମୁଁ ଆପଣଙ୍କ ରାଶିରେ ପ୍ରବେଶ କରିବି । ଏଥିପାଇଁ ମୋ ବକ୍ର ଦୃଷ୍ଟି ତିନି ପ୍ରହର ଆପଣଙ୍କ ଉପରେ ପଡିପାରେ । ଏହାପରେ ମହାଦେବ ଶନିଙ୍କ ଦୃଷ୍ଟିର ବଞ୍ଚିତ ହେବାର ବିଚାର କରିବାକୁ ଲାଗିଲେ ।
ଶନିଙ୍କ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ତାପର ଦିନ ମୃତ୍ୟୁଲୋକରେ ପହଁଚିଲେ ମହାଦେବ ଏବଂ ହାତୀ ରୂପ ଧାରଣ କରିନେଲେ । କୋକିଳ ବନରେ ତିନି ପ୍ରହର ଭଗବାନ ଶିବ ହାତୀ ବେଶରେ ବିଚରଣ କଲେ । ଏହାପରେ ମହାଦେବ ପୁର୍ନବାର ନିଜ ରୂପ ଧାରଣ କରି କୈଳାଶ ପର୍ବତକୁ ଫେରିଗଲେ । ସେଠାରେ ଶନିଦେବ ତାଙ୍କର ଅପେକ୍ଷାରେ ରହିଥିଲେ । ଶନିଦେବଙ୍କୁ ଦେଖି ଶିବ କହିଲେ କି ଦେଖିଲେ ଶନିଦେବ ଅପଣଙ୍କ ବକ୍ର ଦୃଷ୍ଟିର ମୋ ଉପରେ କୌଣସି ପ୍ରଭାବ ପକାଇଲା ନାହିଁ । ଶନିଦେବ ହସିଦେଇ କହିଲେ ମହାଦେବ ମୋ ଦୃଷ୍ଟି କେହି ବି ବଞ୍ଚିତ ହୋଇ ନାହାନ୍ତି ।
ଶନିଦେବଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ମହାଦେବ । ଶନିଦେବ କହିଲେ କି ମୋ ବକ୍ରି ଦୃଷ୍ଟି ଯୋଗୁଁ ଆପଣଙ୍କୁ ଦେବଲୋକ ଛାଡି ମୃତ୍ୟୁଲୋକ ଯିବାକୁ ପଡିଲା ଏବଂ ସେଠାରେ ତିନି ପ୍ରହର ହାତୀ ରୂପେ ବିଚରଣ କରିବାକୁ ପଡିଲା । ଏହିଭଳି ଭାବେ ଆପଣ ମଧ୍ୟ ମୋ ବକ୍ର ଦୃଷ୍ଟିର ପାତ୍ର ହୋଇଛନ୍ତି । ଶନିଦେବଙ୍କୁ ଏଭଳି ନ୍ୟାୟପ୍ରିୟ ଦେଖି ଖୁବ୍ ପ୍ରସନ୍ନ ହେଲେ ମହାଦେବ ଏବଂ ତାଙ୍କୁ ଆର୍ଶିବାଦ ଦେଲେ ।