ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜଗତ ଜନନୀ ମା’ ଦୁର୍ଗାଙ୍କ ଆରଧନା ପାଇଁ ନବରାତ୍ର୍ରିର ମହତ୍ୱ ଖୁବ୍ ଅଧିକ ରହିଛି । ଏହି ଅବସରରେ ମାଙ୍କର ନଅ ସ୍ୱରୂପକୁ ପୂଜା କରିବାର ବିଧି ମଧ୍ୟ ରହିଛି । ଏହି ସମୟରେ ଯେଉଁ ବ୍ୟକ୍ତି ବ୍ରତ ଏବଂ ଦୁର୍ଗା ସପ୍ତଶତି ପାଠ କରନ୍ତି ସେମାନେ ମାଟି ସରାରେ ଯଅ ବୁଣିଥାନ୍ତି । ତେବେ ଆସନ୍ତୁ ଜାଣିବା ନବରାତ୍ରିରେ କାହିଁକି ଯଅ ବୁଣାଯାଏ ଏବଂ ଏହା ଭବିଷ୍ୟତକୁ ନେଇ କି ପ୍ରକାର ସଂକେତ ଦେଇଥାଏ ।
ଧର୍ମଗନ୍ଥ ଅନୁଯାୟୀ, ସୃଷ୍ଟିର ଆରମ୍ଭ ପୂର୍ବରୁ ଯଅ ଫସଲ ହୋଇଥିଲା । ସେଥିପାଇଁ ଯେତେବେଳେ ଦେବା-ଦେବୀଙ୍କ ପୂଜା କରାଯାଏ ହୋମରେ ଯଅ ପକାଯାଇଥାଏ । ବିଧି ଅନୁଯାୟୀ ନବରାତ୍ରିରେ ଯେଉଁ ଯଅ ବୁଣାଯାଇଥାଏ ତାହା ଭବିଷ୍ୟତରେ କିଛି କଥାର ସଂକେତ ଦେଇଥାଏ । ଯଅ ବୁଣା ଯିବାର ପ୍ରମୁଖ କାରଣ ଯଅ ହେଉଛି ଅନ୍ନ ବ୍ରହ୍ମ ଏବଂ ଆମକୁ ଅନ୍ନକୁ ସମ୍ମାନ କରିବା ଉଚିତ୍ ।
ଯଅ ବୁଣାଯିବାର ଦୁଇ ତିନି ଦିନ ମଧ୍ୟରେ ଗଛ ଉଠି ଯାଇଥାଏ । ଯଦି ଗଛ ନ ଉଠେ ତେବେ ଏହା ଭବିଷ୍ୟତରେ ଆପଣଙ୍କ ପାଇଁ ଭଲ ସଂକେତ ନୁହେଁ । ଏହାର ଅର୍ଥ ଆପଣ କଡା ପରିଶ୍ରମ କରିବା ପରେ ଯାଇ ଆପଣଙ୍କୁ ଫଳ ପ୍ରାପ୍ତି ହେବ । ଯଅ ଗଛ ମୂଳରୁ ଅଧା ହଳଦିଆ ଏବଂ ଅଗ ଭାଗରୁ ସବୁଜ ରଙ୍ଗର ଅର୍ଥ ଆପଣଙ୍କ ଆଗାମୀ ବର୍ଷର ଅଧା ସମୟ ଭଲ ରହିବ ।
ଏହାବ୍ୟତିତ ଯେଉଁ ଯଅ ଗଛ ମୂଳ ଆଡୁ ଅଧା ସବୁଜ ଏବଂ ଅଗ୍ର ଭାଗରୁ ହଳଦିଆ ହୋଇଥାଏ ଏହାର ଅର୍ଥ ବର୍ଷର ଆରମ୍ଭରୁ ଆପଣଙ୍କ ସମୟ ଭଲ ରହିବ, କିନ୍ତୁ ପରବର୍ତ୍ତି ମୁହୂର୍ତ୍ତରେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଯଦି ଆପଣଙ୍କ ବୁଣା ଯାଇଥିବା ଯଅ ଧଳା କିମ୍ବା ସବୁଜ ରଙ୍ଗର ଗଛ ହେଉଛି ତେବେ ଏହାକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ଏହାଦ୍ୱାରା ଆପଣଙ୍କ ପୂଜା ସଫଳ ହେବା ସହ ଆଗାମୀ ବର୍ଷ ଭଲରେ କଟିବ ।