ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ପବିତ୍ର ସରସ୍ୱତି ପୂଜା । ସାରା ଭାରତରେ ବିଦ୍ୟାଦାତ୍ରୀଙ୍କୁ ଆରାଧନା କରାଯାଉଛି । ମାଘ ଶୁକ୍ଳ ପଞ୍ଚମୀ ତିଥିରେ ବିଦ୍ୟା ଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ କରି ପୂଜାର୍ଚ୍ଚନା କରାଯାଇଥାଏ । ଆଜିର ଦିନକୁ ବସନ୍ତପଞ୍ଚମୀ ମଧ୍ୟ କୁହାଯାଇଥାଏ । ସେପଟେ ମା’ଙ୍କ ପୂଜା ପାଇଁ ଗଁ।ଠୁ ସହର ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ପ୍ରସ୍ତୁତି ଶେଷ ହୋଇଛି । ମା’ଙ୍କ ପୂଜା ପାଇଁ ଉତ୍ସାହର ସହ ଚାହିଁ ବସିଛନ୍ତି ସମସ୍ତ ଛାତ୍ରଛାତ୍ରୀ । ଆଜିର ଦିନରେ ମାଆଙ୍କୁ ପୂଜାର୍ଚ୍ଚନା କଲେ ଜ୍ଞାନ ଓ ବୁଦ୍ଧିର ଉନ୍ନତ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।
ବିଦ୍ୟାଦାତ୍ରୀଙ୍କ ଆରାଧନା କରିବା ପାଇଁ ସମସ୍ତ ସ୍କୁଲ ଏବଂ କଲେଜରେ ଛାତ୍ର ଛାତ୍ରୀମାନେ ଧୁମଧାମରେ ଆୟୋଜନ କରିଛନ୍ତି । ନୂଆ ଡ୍ରେସ ପିଦ୍ଧି ସକାଳୁ ଟ୍ୟୁସନଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ସବୁଠି ଲାଗିଛି ଗହଳି । ସକାଳୁ ସକାଳୁ ପ୍ଲେ ସ୍କୁଲ ଗୁଡିକରେ ଛୋଟ ଛୁଆମାନେ ମଧ୍ୟ ଆଗ୍ରହର ସହକାରେ ପୂଜା କରିବା ପାଇଁ ଯାଉଥିବା ଦେଖିବାକୁ ମିଳିଛି । ଛୋଟଠାରୁ ବଡ ସମସ୍ତେଙ୍କ ପୂଜାରେ ମଜି ଯାଇଛନ୍ତି ।
ମାଙ୍କ ପୂଜା କରିବା ପାଇଁ ସକାଳୁ ସମସ୍ତେ ଉପବାସ କରିଥାନ୍ତି । ଏବଂ ପୁଷ୍ପାଞ୍ଜଳି ଦେବା ପରେ ପ୍ରସାଦ ସେବନ କରାଯାଇଥାଏ । ଏଣୁ ପ୍ରତ୍ୟେକ ସ୍କୁଲରେ ଭୋଜି ଭାତର ଆୟୋଜନର କରାଯାଇଥାଏ । ମାଆଙ୍କ ପୂଜା ନେଇ ଚଳଚଞ୍ଚଳ ହୋଇଉଠିଛି ସ୍କୁଲ, କଲେଜ ସହ ବିଭିନ୍ନ ଅନୁଷ୍ଠାନ । ରଙ୍ଗ ବେରଙ୍ଗର ଝୁଟି ସହ ବିଭିନ୍ନ ପ୍ରକାର ଫୁଲରେ ସଜେଇ ହୋଇଛି ଶିକ୍ଷାନୁଷ୍ଠାନ । ମାଆଙ୍କ ପୂଜା ନେଇ ପିଲାଙ୍କ ମନରେ ଦେଖାଯାଇଛି ଉତ୍ସାହ ।