ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୋଟି କୋଟି ଭକ୍ତଙ୍କର ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିର ଭିତରକୁ କୌଣସି ମୋବାଇଲ ବା କ୍ୟାମେରା ପ୍ରବେଶ ନିଷେଧ ଥିବା ସତ୍ୱେ ବାରମ୍ବାର ମନ୍ଦିର ଭିତରର ଫଟୋ ଭାଇରାଲ ହେବାରେ ଲାଗିଛି । ଆଜ୍ଞା ହଁ ପୁଣି ଥରେ ଶ୍ରୀମନ୍ଦିରର କିଛି ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ଗୁଜୁରାଟର ସୁରତରୁ ଆସିଥିବା ଜଣେ ଇସ୍କନ ସେବକ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଭାଇରାଲ କରାଇଛନ୍ତି । ତାଙ୍କ ନାଁ ତେଜସ ସେଲର । ସେ ସୁରତ ରାଧାଦାମୋଦର ଇସ୍କନ ମନ୍ଦିରର କର୍ମଚାରୀ ବୋଲି ଜାଣିବାକୁ ମିଳିଛି । ଯାହା ଭକ୍ତଙ୍କ ଭାବାବେଗରେ ଆଘାତ ସୃଷ୍ଟି କରିଛି ।
ବାରମ୍ବାର ଶ୍ରୀମନ୍ଦିରର ଫଟୋ ଭାଇରାଲ ହେବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଠି ପ୍ରଶ୍ନ ଉଠୁଛି ଯେ ଶ୍ରୀମନ୍ଦିର କଡା ସୁରକ୍ଷା ବଳୟରେ ଥିବା ସତ୍ୱେ କିଭଳି ଭାବେ ଏଭଳି ଆପତ୍ତି ଜନକ ଫଟୋ ଉତ୍ତୋଳନ କରାଯାଉଛି । ଏହି ଫଟୋଟି ଶ୍ରୀମନ୍ଦିରର ଅଫିସ୍ କାର୍ଯ୍ୟାଳୟ ଭିତରୁ ଉତ୍ତୋଳନ କରାଯାଇଥିବା ଜଣାଯାଇଛି ।
ଏହି ଇସ୍କନ କର୍ମଚାରୀ ଜଣକ ତାଙ୍କ ଫେସବୁକ୍ ଆକାଉଣ୍ଟରେ କେବଳ ଶ୍ରୀମନ୍ଦିରର ଫଟୋ ଭାଇରାଲ କରିନାହାନ୍ତି ବରଂ ମହାଦେବ ଶ୍ରୀ ଲିଙ୍ଗରାଜ ମନ୍ଦିରର ଫଟୋ ମଧ୍ୟ ଅପଲୋଡ କରିଛନ୍ତି ।