ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ପୂଜା-ପାଠ ଏବଂ ଚିହ୍ନ-ପ୍ରତୀକ ର ବିଶେଷ ମହତ୍ୱ ରହିଛି । ମଙ୍ଗଳ ଏବଂ ଶୁଭ କାର୍ଯ୍ୟ ପାଇଁ ସ୍ୱସ୍ତିକ ତିଆରି କରିବାର ବି ମହତ୍ୱ ରହିଛି । ଯେପରିକି , ହୋମ, ପୂଜା, ବିବାହ, ଯଜ୍ଞ ଆଦି ଧାର୍ମିକ କାର୍ଯ୍ୟରେ ସ୍ୱସ୍ତିକ ବନେଇବାର ବିଶେଷ ପରମ୍ପରା ରହିଛି । ଇତି ମଧ୍ୟରେ ଆମେ ଆପଣଙ୍କୁ ସ୍ୱସ୍ତିକ ସହ ଜଡିତ କିଛି ମହତ୍ୱପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସ୍ୱସ୍ତିକର ବାସ୍ତବିକ ମହତ୍ୱ ।
ପ୍ରକୃତରେ ସ୍ୱସ୍ତିକ ଶବ୍ଧ ସୁ+ଅସ ଧାତୁରୁ ନିର୍ମିତ, ସୁ’ ର ଅର୍ଥ କଲ୍ୟାଣକାରୀ ଏବଂ ମଙ୍ଗଳମୟ । ଅସ’ ର ଅର୍ଥ ଅସ୍ତିତ୍ୱ । ଏହି ଅସ୍ତିତ୍ୱ ଯୋଗୁଁ ଅଶୁଭ, ଅମଙ୍ଗଳ ଏବଂ ଅନିଷ୍ଟ ହୋଇନଥାଏ । ସ୍ୱସ୍ତିକକୁ କଲ୍ୟାଣର ସତ୍ତା ବୋଲି ମଧ୍ୟ କୁହାଯାଇଥାଏ ।
ବିଘ୍ନହର୍ତା ଭଗବାନ ଶ୍ରୀ ଗଣେଶଙ୍କର ପ୍ରତିମା ବି ସ୍ୱିସ୍ତିକ ଚିହ୍ନରେ ଥିବାର ଦେଖିବାକୁ ମିଳିଥାଏ । ଗଣେଶ ଭଗବାନଙ୍କ ଷୁଣ୍ଢ, ହାତ, ଗୋଡ, ମୁଣ୍ଡ ଆଦି ଏଭଳି ଚିତ୍ରିତ ହୋଇଥାଏ, ଯାହା ସ୍ୱସ୍ତିକର ଚାରିଭୂଜା ରୂପେ ପ୍ରତିତ ହୋଇଥାଏ । ସେହିପରି ଓଁକୁ ବି ସ୍ୱସ୍ତିକର ପ୍ରତିକ ବୋଲି କୁହାଯାଇଥାଏ । ଏହି ପ୍ରତିକ ସୃଷ୍ଟିର ମୂଳ ବୋଲି ମଧ୍ୟ କୁହାଯାଏ । ଓଁ ରେ ଶକ୍ତି, ସାମର୍ଥ୍ୟ ଏବଂ ପ୍ରାଣ ସନ୍ନିହିତ । ଏହି ଅକ୍ଷରରେ ଇଶ୍ୱର ନାମରେ ସର୍ବପରି ମାନ୍ୟତା ରହିଛି ।